ଏଣିକି ଇଣ୍ଟରନେଟରେ ସହଜରେ ଉପଲବ୍ଧ ହେବ ଗବେଷକ ଜଗନ୍ନାଥ ଦାସଙ୍କ ସମସ୍ତ କୃତି : ତେବେ ଜାଣନ୍ତୁ କେଉଁ ୱେବସାଇଟରୁ ଆପଣ ପାଇପାରିବେ ଏହି କୃତି

476

କନକ ବ୍ୟୁରୋ : ଏଣିକି ଇଂଟରନେଟରେ ସହଜରେ ଏବଂ ମାଗଣାରେ ମିଳିବ ବିଶିଷ୍ଟ ଗବେଷକ ଜଗନ୍ନାଥ ଦାସ ଓ ତାଙ୍କ ବାପା ତଥା ବିଶିଷ୍ଟ ସାହିତ୍ୟ ସାଧକ ଶ୍ରୀଧର ଦାସଙ୍କ ସମସ୍ତ କୃତି । ସେମାନଙ୍କ ବହିଗୁଡିକୁ ଡିଜିଟାଇଜ୍ କରାଯାଇଛି ଏବଂ ଏହାକୁ ଓଡିଆବିଭବ ଡଟ୍ ଇନ୍ ୱେବ୍ ସାଇଟରେ ରଖାଯାଇଛି । ଫଳରେ ଦେଶ ବିଦେଶର ଆଗ୍ରହୀ ପାଠକ ସେମାନଙ୍କ ବହି ଗୁଡିକ ସହଜରେ ପାଇପାରିବେ । ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ଜଗନ୍ନାଥ ପ୍ରସାଦ ଦାସ ଏକାଧାରରେ କବି, ଲେଖକ, ଗବେଷକ, ନାଟ୍ୟକାର ଓ ସମାଲୋଚକ । ସେ ଓଡିଆରେ ଲେଖୁଥିବା ବେଳେ ତାଙ୍କର ସମସ୍ତ କୃତି ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଅନୁଦିତ । ସର୍ବ ଭାରତୀୟ ସ୍ତରରେ ସେ ଏକ ପରିଚିତ ସାରସ୍ୱତ ବ୍ୟକ୍ତିତ୍ୱ । ସେହିପରି ତାଙ୍କ ବାପା ଅଧ୍ୟାପକ ଶ୍ରୀଧର ଦାସ ଜଣେ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ, ଶିକ୍ଷାବିଦ୍, ନାଟ୍ୟକାର ଓ ଅନୁବାଦକ ଭାବେ ବେଶ ପରିଚିତ ।

ସେ ବ୍ୟାକରଣଠାରୁ ଆରମ୍ଭ କରି ଅଭିଧାନ, ପାଠ୍ୟପୁସ୍ତକ, ସାହିତ୍ୟିକ କୃତିର ସଂପାଦନା ଓ ଅନୁବାଦ କରିଛନ୍ତି । ସେ ୧୧ ଖଣ୍ଡ ବ୍ୟାକରଣ ବହି, ୩ ଖଣ୍ଡ ଅଭିଧାନ ଲେଖିଛନ୍ତି । ସେହିପରି ୨୪ ଖଣ୍ଡ ପାଠ୍ୟପୁସ୍ତକ ଲେଖିଛନ୍ତି ଏବଂ ସେ ମୋଟ ୭୬ ଖଣ୍ଡ ପୁସ୍ତକ ଅନୁବାଦ କରିଛନ୍ତି । ତାଙ୍କର ଆତ୍ମଜୀବନ ବହି ହେଉଛି, ସୁଅ ମୁହଁର ପତର । ସେ ନିଜ ଜୀବନକାଳରେ ୧୬୦ରୁ ଅଧିକ ବହି ଲେଖିଥିବା ଜଣାପଡିଛି । ତାଙ୍କର ଏହି ସମସ୍ତ କୃତି ଏବେ ଓଡିଆବିଭବ ଡଟ୍ ଇନରେ ଉପଲବ୍ଧ ।

ଏହି ଦୁଇ ସାରସ୍ୱତ ସାଧକଙ୍କ କୃତିକୁ ୱେବ୍ ସାଇଟରେ ସ୍ଥାନୀତ ହେବା ପରେ ଲୋକାର୍ପଣ ନେଇ ଶିକ୍ଷାସଂଧାନ ଓ ସୃଜନିକା ପକ୍ଷରୁ ମିଳିତ ଭାବେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ଜଗନ୍ନାଥ ପ୍ରସାଦ ଉପସ୍ଥିତ ରହି ଏଭଳି କାମକୁ ପ୍ରଶଂସା କରିଛନ୍ତି । ଏଭଳି ଉଦ୍ୟମ ଦ୍ୱାରା ଓଡିଆ ଭାଷାର କୃତିଗୁଡିକ ଚିରକାଳ ପାଇଁ ସଂରକ୍ଷିତ ହୋଇ ରହି ପାରିବ ଏବଂ ଅନ୍ୟମାନଙ୍କୁ ସହଜରେ ମିଳିପାରିବ ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ ।