ଚିନ୍ତାରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବୋରିଗାଁର ଫୁଲ ଚାଷୀ । ବିକ୍ରି ନଥିବାରୁ କ୍ଷେତରେ ପଚିସଢ଼ି ଯାଉଛି ଫୁଲ । 

164

କନକ ବ୍ୟୁରୋ: ସହରଠୁ ଆରମ୍ଭ କରି ଗ୍ରାମଞ୍ଚଳ ପର୍ଯ୍ୟନ୍ତ ସବୁଠି ଛୋଟମୋଟ ଉଦ୍ୟଗ ଲାଗିରହିଛି । ଅନେକ ଥର ଆମ ଆଖି ସାମ୍ନାକୁ ଆସିଛି ସହର ରେ ଥିବା ବଡ଼ବଡ଼ ଫୁଲ ଚାଷୀଙ୍କ କଥା କିନ୍ତୁ ଆଜିଭି ଏମିତି ଅନେକ ଚାଷୀ ଅଛନ୍ତି ଯେଉଁମାନେ ଗ୍ରାମଞ୍ଚଳରେ ରହି ନିଜନିଜର ବେପାରକୁ ତ୍ୱରାନ୍ୱିତ କରି ଆସୁଛନ୍ତି ।

ଏବେ ଚିନ୍ତାରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁର ଫୁଲ ଚାଷୀ  । ଏଠାକାର ଚାଷୀ ଦୀର୍ଘବର୍ଷ ଧରି ନିଜ ଜମିରେ ରଜନୀଗନ୍ଧା, ଗେଣ୍ଡୁ, ମନ୍ଦାର, ମଲ୍ଲୀ ପରି ଫୁଲ ଚାଷ କରି ଆସୁଛନ୍ତି  ।  ଖାଲି ଫୁଲ ନୁହେଁ,  ତୁଳସୀ, ଡାଲିମ୍ବ, ନଡ଼ିଆ ଗଛ ଲଗାଇ ଏଥିରୁ ବି ଅର୍ଥ ଉପାର୍ଜନ କରୁଥିଲେ  । ହେଲେ କରୋନା ସ୍ଥିତି ସବୁ ବିଗାଡ଼ି ଦେଇଛି  । ଗତ ବର୍ଷ ଲକଡାଉନ ବେଳେ ଏହି ଚାଷୀମାନେ କ୍ଷତି ସହିଥିଲେ, ଆଶା ଥିଲା ଏବର୍ଷ ସ୍ଥିତିରେ ସୁଧାର ଆସିବ ଆଉ ଅବସ୍ଥା ସୁଧୁରିବ  । ହେଲେ ଏବେବି କରୋନା ସ୍ଥିତି ଜାରି ରହିଥିବା ବେଳେ ଫୁଲ ବିକ୍ରି ହୋଇପାରୁନି, ଫଳରେ କ୍ଷେତରେ ଫୁଲ ନଷ୍ଟ ହୋଇଯାଉଛି  । କେମିତି ବିକ୍ରି କରିବେ, କେଉଁଠି ବିକ୍ରି କରିବେ, ଫୁଲ ଚାଷୀଙ୍କୁ ଏବେ ସେହି ଚିନ୍ତା ଘାରିଛି  ।

ଗୋଟିଏ ଗୁଂଠ ଜମିରେ ଗେଣ୍ଡୁ ଫୁଲ ଚାଷ କଲେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ, ଆଉ ଏଥିରୁ ଆଦାୟ ହୋଇଥାଏ ପ୍ରାୟ ଦେଢ଼ ଲକ୍ଷ ଟଙ୍କା  । ହେଲେ ଏବେ ଅବସ୍ଥା ବଦଳିଯାଇଛି  । ଚାଷୀ ଚାଷ ତ କରିଛି, କ୍ଷେତରେ ଫୁଲ ବି ଅଛି, ହେଲେ ବିକ୍ରିର ସୁବିଧା ନାହିଁ  । ଧର୍ମାନୁଷ୍ଠାନ ସବୁ ବନ୍ଦ ରହିଥିବା ବେଳେ ଫୁଳର ଚାହିଦା ନାହିଁ, ସେହିପରି କରୋନା ପାଇଁ ଅନ୍ୟ ଶୁଭକାର୍ଯ୍ୟ ବି ପୂର୍ବପରି ହେଉନାହିଁ  । ଫଳରେ ଫୁଲ ବିକ୍ରି ହେଉ ନାହିଁ  ।

ପୂର୍ବରୁ କିଲୋ ପିଛା ଫୁଲ ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୦ ଟଙ୍କାରେ ବିକ୍ରି ହେଉଛି । ତାହା ମଧ୍ୟ ବଡ଼ ମୁସକିଲରେ  । କ୍ଷେତରେ ଫୁଲ ଏବେ ପଚି ସଢ଼ି ଯାଉଛି । ଏପରି କଠିନ ସମୟରେ ସରକାରୀ ସହାୟତା ପାଇଁ ଆଶା ରଖିଛନ୍ତି ଚାଷୀ ।  ଏହାସହ ଚାଷ ହୋଇଥିବା ଫୁଲର ବିକ୍ରି ସୁବିଧା କରାଇବାକୁ ସେମାନେ ଦାବି କରିଛନ୍ତି  ।