ଏବେ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାର ଯୋଗାଇବେ ନାହିଁ ରେମଡେସିଭିର୍ ଇଂଜେକ୍ସନ । ସିଧା କମ୍ପାନୀ ମାନଙ୍କ ଠାରୁ କିଣିବେ ରାଜ୍ୟ ସରକାର

130

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନା ମହାମାରୀ ଭିତରେ ସବୁଆଡେ ରେମଡେସିଭିର୍ ଇଂଜେକ୍ସନର ଅଭାବ ଅନୁଭୂତ ହେଉଛି । କିଛି ରାଜ୍ୟରେ ଏହି ଇଂଜେକ୍ସନର କଳାବଜାରୀ ହେଉଥିବା ଖବର ବି ପ୍ରକାଶ ପାଉଛି । ଏହାସହ କିଛି ସହରରୁ ପୋଲିସ ରେମଡେସିଭିର୍ ନକଲି ଇଂଜେକ୍ସନ ବି ଜବତ୍ କରିଛି । କମ୍ ଉତ୍ପାଦନ କାରଣରୁ ଏହି ଇଂଜେକ୍ସନକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କର ଆବଶ୍ୟକତାକୁ ନଜର କରି ଆବଣ୍ଟନ କରୁଥିଲେ । ଏବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି କି ରାଜ୍ୟ ସରକାରମାନେ ସେମାନଙ୍କ ଆବଶ୍ୟକତା ମୁତାବକ କମ୍ପାନୀ ମାନଙ୍କ ଠାରୁ ରେମଡେସିଭିର୍ ଇଂଜେକ୍ସନ ସିଧା ସଳଖ କିଣିପାରିବେ ।
ରସାୟନ ଓ ସାର ରାଜ୍ୟମନ୍ତ୍ରୀ ମନସୁଖ୍ ମଣ୍ଡଭିୟା ଶନିବାର ଦିନ ଘୋଷଣା କରିଛନ୍ତି କି କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ରେମଡେସିଭିର୍ ଇଂଜେକ୍ସନ ଆବଣ୍ଟନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ସେ କହିଛନ୍ତି କି ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଏଜେନ୍ସି ଓ ସିଡିଏସସିଓ କୁ ରେମଡେସିଭିର ର ଉପଲବ୍ଧତା ନେଇ ଲଗାତର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ମୁତାବକ ଏବେ ଦେଶରେ ରେମଡେସିଭିର ଇଂଜେକ୍ସନ ଉତ୍ପାଦନ କରୁଥିବା କମ୍ପାନୀ ମାନଙ୍କ ସଂଖ୍ୟା ୨୦ ରୁ ୬୦ କୁ ବୃଦ୍ଧି କରାଯାଇଛି । ଏହାସହ କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ଏବେ ଆବଶ୍ୟକତା ଠାରୁ ଉତ୍ପାଦନ ଢେର ଅଧିକ ରହିଛି । ମାଣ୍ଡଭିୟାଙ୍କ ସୂଚନା ମୁତାବକ ଏବେ ରେମଡେସିଭିର୍ ଇଂଜେକ୍ସନର ଉତ୍ପାଦନ ୧୦ ଗୁଣା ବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୧୧ ଏପ୍ରିଲ ଠାରୁ ଦେଶରେ ଦୈନିକ ୩୩ ହଜାର ରେମଡେସିଭିର୍ ଇଂଜେକ୍ସନ ଉତ୍ପାଦିତ ହେଉଥିବା ବେଳେ ଏବେ ଦୈନିକ ୩.୫ ଲକ୍ଷ ଉତ୍ପାଦିତ ହେଉଛି ।