୪୦ ବର୍ଷ ପରେ ପାନ୍ କାର୍ଡର ପୁର୍ନଜନ୍ମ… କେନ୍ଦ୍ରୀୟ ବଜେଟରେ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ

2,862

କନକ ବ୍ୟୁରୋ: ଏମିତିରେ ତ ମୋ ଜନ୍ମ ୧୯୭୨ରେ ହୋଇଯାଇଥିଲା, କିନ୍ତୁ ୪ ବର୍ଷ ପରେ ମୋତେ କେହି ଆବଶ୍ୟକ ମଣିନଥିଲେ । ଏହା ପରେ ମୋର ଜାଗା ନେଇଯାଇଥିଲେ ପାସପୋର୍ଟ, ରାଶନ କାର୍ଡ, ଭୋଟର ପରିଚୟ ପତ୍ର, ବ୍ୟାଙ୍କ ପାସବୁକ । ମୋତେ ଲୋକେ ସେମିତି ପୁରୁଣା ବହି ଭିତରେ ରଖିଦେଇଥିଲେ । ପରେ ସମୟ ବଦଳିବା ସହ ମୋର ରଙ୍ଗ ମଧ୍ୟ ବଦଳିଥିଲା କିନ୍ତୁ ଏହାକୁ କେହି ଧ୍ୟାନ ଦେଇନଥିଲେ । ତେବେ ଆପଣ ଜାଣିଛନ୍ତି ଏମିତି କାହିଁକି?

କାରଣ ଏହା ଯେ, ମୋର ବ୍ୟବହାର କେବଳ ବର୍ଷରେ ଗୋଟିଏ ଥର ମାର୍ଚ୍ଚ ୩୧ ତାରିଖରେ ହେଉଥିଲା । ସେତେବେଳେ ଲୋକେ ଖୋଜିଖୋଜି ଏହାକୁ ବାହର କରୁଥିଲେ । ବେଳେବେଳେ ତ ଲୋକେ ତାକୁ ବି ମନେ ପକାଉନଥିଲେ । ମୋର ୧୦ ଅଙ୍କ ବିଶିଷ୍ଟ ନଂ କୁ ଲୋକେ ମନେ ରଖୁଥିଲେ ଯାହାଫଳରେ କାର୍ଡର ବି ଆବଶ୍ୟକତା ପଡୁନଥିଲା । ଆଧାରପରେ ତ ମୁଁ ଏକ ରକମର ନିରାଧାର ହୋଇଯାଇଥିଲି । ତେବେ ଆଶା ଥିଲା ଯେ ଦିନେ ନା ଦିନେ ମୁଁ ଆଗକୁ ବଢିବି । ତେବେ ଆଜି ସେ ଦିନ ଆସିଯାଇଛି । ବର୍ତ୍ତମାନ ମୁଁ କାହାର ପରିଚୟ ହେବାକୁ ଯାଉଛି । ଆଜ୍ଞା ହଁ ମୁଁ ସାଧାରଣ ଲୋକର ପରିଚୟ ହେବି । ଆପଣ ପଢୁଥିଲେ ପାନକାର୍ଡର ଆତ୍ମକଥା ।

ଏମିତି ନୁହେଁ ଯୋ ପାନକାର୍ଡ ବ୍ୟବହାର କରାଯାଉନଥିଲା । ତେବେ ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ଏକ କିମ୍ବା ଦୁଇ ପ୍ରତିଶତଲୋକ ଏହାର ବ୍ୟବହାର କରୁଥିଲେ । କିନ୍ତୁ ଆଗାମୀ ଦିନରେ ଏହା ପରିଚୟ ପତ୍ର ଭାବେ ମଧ୍ୟ ବ୍ୟବହାର ହେବ । ଚଳିତ ବଜେଟରେ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ ଘୋଷଣା କରିଛନ୍ତି ।