କନକ ବ୍ୟୁରୋ : ଜୁଲାଇ ୧୮ ଅର୍ଥାତ ଆସନ୍ତା କାଲି ଠାରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ହେଲେ ଏହା ପୂର୍ବରୁ ଉଭୟ ସଂସଦ ପାଇଁ କଡା କଟକଣା ଜାରି କରାଯାଇଛି । ପ୍ରଥମେ କିଛି ଶବ୍ଦକୁ ନେଇ କଟକଣା ଜାରି କରାଯାଇଥିଲା । ଏହାପରେ ସଂସଦ ଭବନ ପରିସରରେ କୌଣସି ଅନଶନ, ଧର୍ମଘଟ କିମ୍ବା ଧାର୍ମିକ ଉତ୍ସବ ପାଳନ ଉପରେ ରୋକ ଲଗାଯାଇଥିଲା । ହେଲେ ଏବେ ଲୋକସଭା ପରିସରକୁ ସାଂସଦମାନେ ପ୍ଲାକାର୍ଡ, ପାମ୍ପଲେଟ କିମ୍ବା ପୋଷ୍ଟର ଧରି ଯାଇପାରିବେ ନାହିଁ ବୋଲି କଟକଣା ଲଗାଯାଇଛି ।

Advertisment

ଲୋକସଭା ସଚିବାଳୟ ପକ୍ଷରୁ ଶୁକ୍ରବାର ଦିନ ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୁତାବକ ମୌସୁମୀ ଅଧିବେଶନ ବେଳେ ପୋଷ୍ଟର ଓ ପ୍ଲାକାର୍ଡ ବାଣ୍ଟିବା ଉପରେ ରୋକ ଲଗାଯାଇଛି । ଅନୁମାନ କରାଯାଉଛି କି, ସଂସଦ ପରିସରରେ ଅନଶନ ଉପରେ କଟକଣା ଲାଗିବା ପରେ ବିରୋଧୀମାନେ ହଙ୍ଗାମା କରିପାରନ୍ତି । ଏହାକୁ ନଜରରେ ରଖି ଲୋକସଭା ସଚିବାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏଭଳି ପ୍ରତିବନ୍ଧକକୁ ନେଇ ବିରୋଧୀଦଳମାନେ ସରକାରଙ୍କୁ ଘେରିଛନ୍ତି । ସିପିଆଇ (ଏମ) ମହାସଚିବ ସୀତାରାମ ୟେଚୁରୀ ଏହା ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି କି ଦେଶରେ କି ତମାଶା ଚାଲିଛି । ସେ କହିଛନ୍ତି କି ଭାରତର ଆତ୍ମା, ଲୋକତନ୍ତ୍ରର ଗଳା ଚାପିବାକୁ ଚାହୁଁଥିବା ଲୋକମାନେ ସଫଳ ହେବେ ନାହିଁ ।