କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ହେଲା ନ୍ୟୁଜିଲାଣ୍ଡ । ଖବର ପାଇ ଖୁସିରେ ନାଚି ଉଠିଲେ ପ୍ରଧାନମନ୍ତ୍ରୀ

232

କନକ ବ୍ୟୁରୋ : ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବାମଦଳ ଶାସିତ ନ୍ୟୁଜିଲାଣ୍ଡ କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ହୋଇଛି । ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେନ୍ ଖୁସିରେ ନାଚିଛନ୍ତି । ଏବେ ଦେଶର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ କୌଣସି ସଂକ୍ରମିତ ନଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଖବର ଆସିବା ପରେ ସରକାରଙ୍କ ତରଫରୁ ଲଗାଯାଇଥିବା କରୋନା କଟକଣା ସମ୍ପୁର୍ଣ୍ଣ ପ୍ରତ୍ୟାହାର କରାଯାଇଛି । ଯେମିତି କି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କଟକଣାରୁ ଦେଶବାସୀଙ୍କୁ ମୁକ୍ତ କରାଯାଇଛି ।

ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରର୍ଡେନ କହିଛନ୍ତି କି ଏବେ ଆମେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନାକୁ ହରାଇଛୁ । ଏହା ପରେ ଉନ୍ନତ ସ୍ୱାସ୍ଥ୍ୟ ସେବା, ଯୋଗାଣ ବ୍ୟବସ୍ଥା, ଆର୍ଥିକ ବିକାଶ ସହ ଦେଶ କିଭଳି ବିଜ୍ଞାନ ସମ୍ମତ ସମାଜବାଦକୁ ଆଗକୁ ବଢାଇବ ସେନେଇ ସରକାର କାମ କରିବ । ନ୍ୟୁଜିଲାଣ୍ଡରେ ମାର୍ଚ୍ଚ ୨୫ ଠାରୁ ଲକ୍ ଡାଉନ ଜାରି ରହିଥିଲା । ଏହାରି ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଲେବର ପାର୍ଟି ବହୁମତରେ ଜିତିଥିଲା । ଏହା ପରେ ଲେବର ପାର୍ଟିର ନେତୃତ୍ୱ ନେଉଥିବା ତଥା ନ୍ୟୁଜିଲାଣ୍ଡର ପ୍ରିୟ ନେତା ଜେସିଣ୍ଡା ଆରର୍ଡେନ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ ।

କହିରଖୁ କି ଏବେ ବିଶ୍ୱର ୨୧୩ ରାଷ୍ଟ୍ର କରୋନା ଭଳି ମହାମାରୀରେ ପିଡୀତ ହୋଇଛନ୍ତି । କୋଟି କୋଟି ଲୋକ ଏହି ଅଦୃଶ୍ୟ ଭୂତାଣୁ କବଳରେ ପଡି ପ୍ରାଣ ହରାଇଛନ୍ତି । କରୋନା ମହାମାରୀ ପାଇଁ ସାରା ବିଶ୍ୱର ସମସ୍ତ ପ୍ରକାର କାରବାର ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଲକ୍ଷ ଲକ୍ଷ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇଥିଲେ । ବିଶ୍ୱର ପ୍ରାୟ ସବୁ ଦେଶ ଆର୍ଥିକ ମାନ୍ଦାବସ୍ତା ଦେଇ ଗତି କରୁଛନ୍ତି । ଏହାରି ମଧ୍ୟରେ ନ୍ୟୁଜିଲାଣ୍ଡ ଭଳି ଏକ ଛୋଟ ରାଷ୍ଟ୍ର ସମ୍ପୁର୍ଣ୍ଣ କରୋନା ମୁକ୍ତ ହେବା ବିଶ୍ୱ ପାଇଁ ଏକ ଆଶା ସଂଚାର କରିଛି ।