କୃଷକ ଆନ୍ଦୋଳନ ଦେଇ ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ବୟାନ । କହିଲେ ୪ ଲକ୍ଷ ନୁହେଁ ଏବେ ସରକାର ଦେଖିବେ ୪୦ ଲକ୍ଷ ଟ୍ରାକ୍ଟର ରାଲି । ଆହୁରି ଘମାଘୋଟ ହେବ ଲଢେଇ

159

କନକ ବ୍ୟୁରୋ : ନୂତନ କୃଷିବିଲକୁ ବିରୋଧ କରି ପ୍ରତିବାଦ କରୁଥିବା କୃଷକ ମାନେ ଏବେ ଆନ୍ଦୋଳନ ଆଡକୁ ଢଳିଛନ୍ତି । ଏନେଇ କୃଷକ ନେତା ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମହାପଞ୍ଚାୟତ ଆୟୋଜନ କରାଯାଇ ହଜାର ହଜାର କୃଷକ ମାନଙ୍କୁ ଆନ୍ଦୋଳନ ସହିତ ଯୋଡିବାକୁ ଚେଷ୍ଟା କରାଯାଉଛି ।
କୁରୁକ୍ଷେତ୍ରର ପିହୁଆ ଠାରେ ଆୟୋଜିତ ମହାପଞ୍ଚାୟତକୁ ସମ୍ବୋଧିତ କରି କିଷାନ ଆନ୍ଦୋଳନର ମୁ୍ଖ୍ୟ ତଥା ଭାରତୀୟ କିଷାନ ୟୁନିୟନର ସଭାପତି ରାକେଶ ଟିକାୟତ କହିଛନ୍ତି କି ସରକାର ୪ ଲକ୍ଷ ଟ୍ରାକ୍ଟର ରାଲି ଦେଖିଥିଲେ ହେଲେ ଏବେ ସରକାର ଦେଖିବେ ୪୦ ଲକ୍ଷ ଟ୍ରାକ୍ଟରର ରାଲି । ଏହା ସହ ସେ କହିଥିଲେ କି ପଞ୍ଜାବରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ସାରା ଦେଶକୁ ବ୍ୟାପିଛି । ଦେଶରୁ ହଜାର ହଜାର ସଂଖ୍ୟାରେ କୃଷକ ମାନେ ସ୍ୱତଃପ୍ରବୃତ ଭାବେ ଆନ୍ଦୋଳନରେ ଯୋଗ ଦେଉଛନ୍ତି । ଏହାକୁ ଦେଖି ସରକାର ଛାନିଆ ହେଲେଣି । ତେଣୁ ପ୍ରଧାନମନ୍ତ୍ରୀ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନଜୀବୀ କହିବାକୁ ବି ପଛାଉ ନାହାନ୍ତି । ଆନ୍ଦୋଳନ ଭାରତୀୟ ସମ୍ବିଧାନର ଏକ ଅଂଶ ବୋଲି ସେ କହିବା ସହ ସହୀଦ ଭଗତ ସିଂ, ଓ ଲାଲକୃଷ୍ଣ ଆଡଭାନୀଙ୍କ ନାମ ନେଇ ଶ୍ରୀ ଟିକାୟତ କହିଥିଲେ କି ଏମାନେ ବି ଆନ୍ଦୋଳନର ରାସ୍ତାରେ ଆସି ଦେଶ ପାଇଁ ଅନେକ କିଛି କରିଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ଜୀବନରେ କେବେ ଆନ୍ଦୋଳନ କରିନାହାନ୍ତି ବରଂ ସାଲିସ କରି ଦେଶକୁ ଭାଙ୍ଗିବାର ଅନେକ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।
କହିରଖୁ କି ପାଖା ପାଖି ୩ ମାସ ହେବ ନୂତନ କୃଷିବିଲ୍ କୁ ପ୍ରତ୍ୟାହାର କରିବା ଦାବିରେ କୃଷକ ମାନେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛନ୍ତି । ଏନେଇ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୧୧ ଥର ବୈଠକ ହୋଇଥିଲେ ବି କିଛି ନିସ୍କର୍ଷ ବାହାରି ପାରିନାହିଁ । ସେପଟେ ଆନ୍ଦୋଳନକାରୀଙ୍କୁ ଆତଙ୍କବାଦୀ, ଖଲିସ୍ତାନୀ, ଟୁକଡେ ଟୁକଡେ ଗ୍ୟାଙ୍ଗ୍, ଦେଶ ବିରୋଧୀ ଶକ୍ତି କହି ସରକାରୀ ଦଳର କିଛି ନେତା ଆକ୍ଷେପ କରୁଥିବା ବେଳେ ରାଜ୍ୟସଭାରେ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନଜୀବୀ କହି ବିବାଦ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାର ଜବାବରେ କୃଷକ ମାନେ ଏବେ ୪୦ ଲକ୍ଷ ଟ୍ରାକ୍ଟର ସହ ରାଲି କରିବେ ବୋଲି କହିଛନ୍ତି ରାକେଶ ଟିକାୟତ ।