ଡ୍ରାଇଭିଂ ଲାଇସେନ୍ସ ପାଇଁ କାଟିବାକୁ ପଡିବନି ଆରଟିଓର ଚକ୍କର । ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ ।

509

କନକ ବ୍ୟୁରୋ : ଲାଇସେନ୍ସ ପାଇଁ ଆଉ ଦୌଡିବାକୁ ପଡିବନି ଆରଟିଓ । ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଏଣିକି ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆଉ ଆପଣଙ୍କୁ ଆରଟିଓର ଚକ୍କର କାଟିବାକୁ ପଡିବନି । ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆରଟିଓ ଅଫିସ ଯାଇ ଆଉ ଆପଣଙ୍କୁ ଟେଷ୍ଟ ଦେବାକୁ ପଡିବ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ନିୟମରେ ପରିବର୍ତନ କରିଛନ୍ତି ସରକାର । ଆଉ ଏଥିରେ ଲୋକମାନେ ଅନେକମାତ୍ରାରେ ଉପକୃତ ହେବେ । କୋଟି କୋଟି ଲୋକ ଯେଉଁମାନେ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆରଟିଓରେ ୱେଟିଂ ଲମ୍ବା ହେତୁ ଅଧିକ ସମୟ ଲାଗୁଛି, ସେମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡିବନି ।

ସଡକ ଏବଂ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ ଅନୁଯାୟୀ, ଯେକୌଣସି ବ୍ୟକ୍ତି, ଯିଏକି ଯେକୌଣସି ସରକାରୀ ମାନ୍ୟତାପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସେଂଟରରୁ ଟେଷ୍ଟ ପାସ୍ କରିଛନ୍ତି, ସେମାନଙ୍କୁ ଲାଇସେନ୍ସ ପାଇଁ ଆବେଦନ କରିବା ସମୟରେ ଆରଟିଓରେ ହେଉଥିବା ଡ୍ରାଇଭିଂ ଟେଷ୍ଟରୁ ବାଦ୍ ଦିଆଯିବ । ଅର୍ଥାତ ତାଙ୍କୁ ଆରଟିଓରେ ଆଉ କୌଣସି ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ । ତାଙ୍କର ଡ୍ରାଇଭିଂ ଲାଇସେନ୍ସ ପ୍ରାଇଭେଟ୍ ଡ୍ରାଇଭିଂ ଟ୍ରେନିଂ ସେଂଟରର ସାର୍ଟିଫିକେଟ୍ ଆଧାରରେ ହିଁ ଦିଆଯିବ ।

ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ନୂଆ ନିୟମ ଅନୁଯାୟୀ, କେବଳ ସେହି ବେସରକାରୀ ଡ୍ରାଇଭିଂ ଟ୍ରେନିଂ ସେଂଟରଗୁଡିକୁ ଅନୁମତି ମିଳିବ, ଯାହା ରାଜ୍ୟ ପରିବହନ ପ୍ରାଧିକରଣ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏହି ତାଲିମ କେନ୍ଦ୍ର ଗୁଡିକର ସ୍ୱୀକୃତି ୫ ବର୍ଷ ହେବ, ଏହା ପରେ ସେମାନଙ୍କୁ ସରକାରଙ୍କ ପାଖରେ ନବୀକରଣ କରିବାକୁ ପଡିବ ।

ତେବେ ଟ୍ରେନିଂ ସେଂଟର ଗୁଡିକ ପାଇଁ କିଛି ଗାଇଡଲାଇନ୍ ଏବଂ ସର୍ତ ରଖିଛି ପରିବହନ ମନ୍ତ୍ରାଳୟ । ଏହି ସର୍ତଗୁଡିକୁ ଯେଉଁ ଟ୍ରେନିଂ ସେଂଟର ମାନିବେ, ସେମାନଙ୍କୁ ହିଁ ଅନୁମତି ମିଳିବ । ତେବେ ସରକାରଙ୍କ ନୂଆ ନିୟମ ଲୋକଙ୍କୁ ବେଶ୍ ଫାଇଦା ଆଣିଦେବ । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଆରଟିଓର ଚକ୍କର କାଟିବାକୁ ପଡିବ ନାହିଁ ।