ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ଖୋଲିଲା ବାଟ । ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା, ବିବାଦ ପରେ ଅନୁମତି ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

161

କନକ ବ୍ୟୁରୋ : ମାର୍ଚ୍ଚ ପହିଲାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ରାଜ୍ୟର ଘରୋଇ ହସ୍ପିଟାଲରେ ଟିକା ଦେବାକୁ ଅନୁମତି ମିଳିଛି । ଫଳରେ ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ବାଟ ଫିଟିଛି । କେନ୍ଦ୍ରର ଅନୁମତି ପରେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ । ଆୟୁଷମାନ ଯୋଜନାରେ ଓଡିଶା ସାମିଲ ହୋଇନଥିବାରୁ ଘରୋଇ ଡାକ୍ତରଖାନାରେ ଟିକା ଦେବା ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । ଏନେଇ ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିବା ପରେ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର ।

ଓଡ଼ିଶାରେ ଦ୍ରୁତ ଟିକାକରଣ ନେଇ ବାଟ ଫିଟିଲା । ଘରୋଇ ହସପିଟାଲରେ ଟିକାକରଣ ପାଇଁ ମିଳିଲା ଅନୁମତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନୁମତି ପରେ ଏ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଅନ୍ତର୍ଭୁକ୍ତ ରାଜ୍ୟର ୧୮୩ଟି ଘରୋଇ ହସପିଟାଲରେ କରୋନା ଟିକାକରଣ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । ଆଜି ଭିଡିଓ କନଫରେନ୍ସିଂରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିଲା । ଏହା ପରେ ଘରୋଇ ହସପିଟାଲରେ କରୋନା ଟକାକରଣ କେନ୍ଦ୍ର ଖୋଲିବାକୁ ଅନୁମତି ମିଳିଛି ।

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହୋଇନଥିବାରୁ ଏହାକୁ ନେଇ ବିବାଦ ରହିଥିଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ଘରୋଇ ହସପିଟାଲରେ ଟିକାକରଣ କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାର ଚାହୁଁଥିଲେ । ତେବେ ଏହିସବୁ ହସପିଟାଲ ଆୟୁଷ୍ମାନ ଭାରତରେ ନଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଅନ୍ତର୍ଭୁକ୍ତ ୧୮୩ଟି ଘରୋଇ ହସପିଟାଲରେ ଆବଶ୍ୟକ ଭିତିଭୂମି ଅଛି କି ନାହିଁ, ତାହା ଯାଂଚ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଏବେ ନଜର ପକାନ୍ତୁ କ’ଣ ଯାଂଚ କରିବ ଜିଲ୍ଲା ପ୍ରଶାସନ ?

ଟିକା ସଂରକ୍ଷଣ ପାଇଁ ଯଥେଷ୍ଟ କୋଲ୍ଡ ଚେନ୍ ବ୍ୟବସ୍ଥା
ଟିକାକରଣ ଓ ପର୍ଯ୍ୟବେକ୍ଷଣ ପାଇଁ ଆବଶ୍ୟକ ସ୍ଥାନ
ଯଥେଷ୍ଟ ସଂଖ୍ୟକ ପ୍ରଶିକ୍ଷିତ ଟିକାଦାତା ଓ ଯାଞ୍ଚକାରୀ ରହିଛନ୍ତି କି ନାହିଁ ?
ଟିକା ପାଶ୍ୱର୍ ପ୍ରତିକ୍ରିୟା ପରିଚାଳନା ପାଇଁ ଦକ୍ଷତା ରହିଛି କି ନାହିଁ ?

ଜିଲ୍ଲା ପ୍ରଶାସନ ଏସବୁ ଯାଞ୍ଚ କରି ରିପୋର୍ଟ ଦେବେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗ୍ୟ ବିବେଚିତ ହସପିଟାଲଗୁଡିକ କୋ-ୱିନ୍ ପୋର୍ଟାଲରେ ପଂଜିକରଣ କରିବେ ।

ଦେଶରେ ମାର୍ଚ୍ଚ ୧ ରୁ ଆରମ୍ଭ ହେବାକୁ ଯାଉଛି ପରବର୍ତ୍ତୀ ପର୍ଯ୍ୟାୟ କରୋନା ଟିକାକରଣ । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପ୍ରକ୍ରିୟା ଚାଲିଥିବା ବେଳେ ମାର୍ଚ୍ଚ ମାସରୁ ବରିଷ୍ଠ ନାଗରିକ ଓ ବିଭିନ୍ନ ରୋଗରେ ପୀଡ଼ିତ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ଟିକାକରଣ କରାଯିବ । ଏହି ପର୍ଯ୍ୟାୟରେ ଦେଶର ୨୭ କୋଟି ଲୋକଙ୍କୁ ଟିକାକରଣ କରିବା ଲକ୍ଷ୍ୟ ରହିଛି । ରାଜ୍ୟର ଘରୋଇ ହସପିଟାଲଗୁଡିକରେ ଟିକାକରଣ ପାଇଁ ଅନୁମତି ପାଇବା ପରେ ଦ୍ରୁତ ଟିକାକରଣ ପାଇଁ ବାଟ ଫିଟିଛି । ତେବେ ଘରୋଇ ହସପିଟାଲରେ କେତେ ଟଙ୍କା ଦେବାକୁ ପଡ଼ିବ, ଏ ନେଇ ସ୍ଥିର କରାଯିବ ।

ନଜର ପକାଇବା ମାର୍ଚ୍ଚ ୧ ତାରିଖରୁ କାହାକୁ କେମିତି ମିଳିବ ଟିକା ?
୬୦ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ
୪୫ ବର୍ଷରୁ ଉଦ୍ଧ୍ୱର୍ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ
ଗୁରୁତର ରୋଗ ଥିଲେ ପ୍ରମାଣପତ୍ର ଦେବାକୁ ପଡ଼ିବ
ଟିକା ନେବା ବ୍ୟକ୍ତି କୋ-ୱିନ୍ ପୋର୍ଟାଲରେ ନାଁ ପଂଜିକରଣ କରିବେ
କେନ୍ଦ୍ରକୁ ଯାଇ ମଧ୍ୟ ପଂଜିକରଣ କରିହେବ
ସରକାରୀ ହସପିଟାଲରେ ମାଗଣା ଟିକାକରଣ ହେବ
ଘରୋଇ ହସପିଟାଲରେ କେତେ ଟଙ୍କା ନେବେ, ସ୍ଥିର କରିବେ ସରକାର ।