କନକ ବ୍ୟୁରୋ : ମଦ ପିଇଥିଲେ ଗଡ଼ିବନି ଗାଡ଼ି । ଦୁର୍ଘଟଣାରୁ ରକ୍ଷା କରିବ ସଫ୍ଟୱେୟାର । ଏଣିକି ମଦ ପିଇଥିଲେ ଆଉ ଗାଡ଼ି ଗଡ଼ିବନି । ଆଉ ଯଦି ଆପଣ ଗାଡିରେ ବସି ସିଟ୍ ବେଲ୍ଟ ବାନ୍ଧିନଥିବେ, ତେବେ ମଧ୍ୟ ଆପଣଙ୍କ ଗାଡିର ଇଞ୍ଜିନ୍ ଷ୍ଟାର୍ଟ ହେବ ନାହିଁ । ଏଭଳି ଏକ ସଫ୍ଟୱେୟାର ବିକଶିତ କରିଛନ୍ତି ହରିୟାଣା ଭିୱାନିର ଇଞ୍ଜିନିୟର ଛାତ୍ର ମୋହିତ କୁମାର ।

Advertisment

ଦିନକୁ ଦିନ ସଡକ ଦୁର୍ଘଟଣା ଭଳି ମାମଲା ବଢି ବଢି ଚାଲିଛି । ଆଉ ଅଧିକାଂଶ ଦୁର୍ଘଟଣା ମଦ୍ୟପାନ କରି ଗାଡି ଚଳାଇବା କାରଣରୁ ହିଁ ଘଟୁଛି । ଆଉ ଏହାକୁ ଦୃଷ୍ଟିରେ ରଖି, ଏକ ସ୍ୱତନ୍ତ୍ର ସଫ୍ଟୱେୟାର ବିକଶିତ କରିଛନ୍ତି ମୋହିତ ।

ଗାଡିର ଆଗରେ ଲାଗିବ ଏହି ସ୍ୱତନ୍ତ୍ର ଡିଭାଇସ୍ । ଯାହାକୁ କି ଆଲକହଲ ଡିଟେକସନ୍ ସିଷ୍ଟମ ବୋଲି କୁହାଯାଉଛି । ଯଦି ଆପଣଙ୍କ ରକ୍ତରେ ୦.୦୮ ପ୍ରତିଶତରୁ ଅଧିକ ଆଲକହଲ ରହିଥିବ, ତେବେ ଆପଣଙ୍କ ଗାଡି ଷ୍ଟାର୍ଟ ହେବନାହିଁ । ତେବେ ଆସନ୍ତୁ ଏବେ ଜାଣିବା କେମିତି କାମ କରିବ ଏହି ସେନସର ।

ଯେତେବେଳେ ଆପଣ ଗାଡିରେ ବସିବେ, ନିଶ୍ୱାସ ନେବା କ୍ଷଣି, ଆପଣଙ୍କ ମୁହଁର କଣିକା, ସାମ୍ନାରେ ଲାଗିଥିବା ସିଷ୍ଟମର ଓଡୋମିଟରକୁ ଚାଲିଯିବ । ସେଥିରେ ଲାଗିଥିବା ସେନସର ଆପଣଙ୍କ ଶରୀରରେ କେତେ ମାତ୍ରାରେ ଆଲକହଲ ରହିଛି, ତାହା ଡିଟେକ୍ଟ କରିବ । ଆଉ ଯଦି ଆପଣଙ୍କ ରକ୍ତରେ ୦.୦୮ ପ୍ରତିଶତରୁ ଅଧିକ ଆଲକହଲ ରହିଥିବ ଆପଣଙ୍କ ଗାଡି ଷ୍ଟାର୍ଟ ହେବନାହିଁ । ତେବେ କେବଳ ଡ୍ରାଇଭର ସିଟ୍ ପାଇଁ ହିଁ ଏହି ଡିଭାଇସ୍ କାମ କରିବ ।

ମୋହିତଙ୍କ କହିବା ଅନୁଯାୟୀ, ଏହା ଏମିତି ଏକ ସଫ୍ଟୱେୟାର, ଯାହା ଗାଡିରେ ଲାଗିଲେ, କେବେ ଦୁର୍ଘଟଣା ହେବ ନାହିଁ । ଏପରିକି ଆପଣ ଯଦି, ଜାଣିଶୁଣି ମଧ୍ୟ ଦୁର୍ଘଟଣା ଘଟାଇବାକୁ ଚେଷ୍ଟା କରିବେ, ହେଲେ ବି ଦୁର୍ଘଟଣା ହେବ ନାହିଁ । ଏହି ସଫ୍ଟୱେୟାରରେ ଏମିତି ଏକ ଫିଚର୍ସ ରହିଛି, ଯାହା ଫଳରେ ଯେଉଁପର୍ଯ୍ୟନ୍ତ ଆପଣ ସିଟ୍ ବେଲ୍ଟ ବାନ୍ଧିନଥିବେ, ସେତେ ପର୍ଯ୍ୟନ୍ତ ଆପଣଙ୍କ ଗାଡି଼ର ଇଞ୍ଜିନ୍ ଷ୍ଟାର୍ଟ ହେବନାହିଁ । ମୋହିତଙ୍କ ଏହି ନିଆପା ପ୍ରୟାସ, ନିଶ୍ଚିତ ଭାବେ ଦୁର୍ଘଟଣା ରୋକିବାରେ ସହାୟକ ହେବ ।