କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିବେ ବିଜେପିର ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ । କହିଲେ ପ୍ରଥମେ କୃଷକ ପରେ ଦଳ ଓ ରାଜନୀତି । ଆଜି ଆନ୍ଦୋଳନରେ ହୋଇପାରନ୍ତି ସାମିଲ ।

334

କନକ ବ୍ୟୁରୋ : ନୂତନ କୃଷି ଆଇନକୁ ନେଇ ପଞ୍ଜାବ, ହରିଆଣା, ରାଜସ୍ଥାନ ସମେତ ଅନେକ ରାଜ୍ୟର କୃଷକ ମାନେ ଦୀର୍ଘ ୨୩ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କୃଷି ଆଇନ କୃଷକଙ୍କ ହିତରେ ବୋଲି କୃଷକ ମାନଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଛନ୍ତି । ହେଲେ ହରିଆଣାରେ ବିଜେପି ନେତା ମାନେ ବି କୃଷି ଆଇନକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ସୂଚନା ମୁତାବକ ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବିଜେପିରୁ ରାଜ୍ୟସଭା ସାଂସଦ ହୋଇଥିବା ଚୌଧୁରୀ ବିରେନ୍ଦ୍ର ସିଂଙ୍କ ବୟାନ ଏବେ ରାଜନୀତିରେ ହଇ ଚଇ ସୃଷ୍ଟି କରିଛି । ସେ କହିଛନ୍ତି କି ତାଙ୍କ ପାଇଁ ଦଳ ଓ ରାଜନୀତିରୁ ଉର୍ଦ୍ଧରେ କୃଷକ ମାନଙ୍କର ସ୍ୱାର୍ଥ । ସରକାର ବିଲ ପ୍ରତ୍ୟାହାର ନକଲେ ସେ ଏହା ବିରୋଧରେ ସ୍ୱର ଉର୍ତ୍ତୋଳନ କରିବେ ବୋଲି କହିଛନ୍ତି । ଅନୁମାନ କରାଯାଉଛି କି ସେ କୃଷକ ମାନଙ୍କ ଆନ୍ଦୋଳନରେ ସାମିଲ ହୋଇ ପାରନ୍ତି ।

ବିଜେପି ନେତା ବିରେନ୍ଦ୍ର ସିଂ ହରିଆଣାର କୈତଲ ଠାରେ କହିଛନ୍ତି କି କୃଷକ ମାନେ ଯଦି ତାଙ୍କ ସହିତ ସଂପର୍କ କରିଥା’ନ୍ତେ ତାହେଲେ ସେ ବର୍ତ୍ତମାନ କୃଷକଙ୍କ ଆନ୍ଦୋଳନରେ ସାମିଲ ହୋଇସାରିଥା’ନ୍ତେ । ଏହା ସହ ସେ କହିଛନ୍ତି କି କୃଷି କାନନୁ ବାବଦରେ କୃଷକ ମାନଙ୍କୁ ପ୍ରଥମେ ବୁଝାଇବାର ଆବଶ୍ୟକତା ରହିଥିଲା । କାରଣ ଏବେ ବି କୃଷକ ମାନେ ଆଶଂକା କରୁଛନ୍ତି କି ଏହି ବିଲ୍ ସେମାନଙ୍କ ପାଇଁ କ୍ଷତି ପହଂଚାଇବ । ଅନ୍ୟପଟେ ଆଜି ହରିଆଣାର ସାମ୍ପଲ ଠାରେ ଆୟୋଜିତ ହେବାକୁ ଥିବା କୃଷି ଆଇନ ବିରୋଧରେ ଏକ ଦିବସୀୟ ବିକ୍ଷୋଭରେ ବିରେନ୍ଦ୍ରସିଂ ସାମିଲ ହୋଇ ପାରନ୍ତି ବୋଲି ଆଶା କରାଯାଉଛି । ଏନେଇ ଗୁରୁବାର ଦିନ ବିରେନ୍ଦ୍ର ସିଂ ଛୋଟୁ ରାମ ବିଚାର ମଞ୍ଚର ସଦସ୍ୟ ମାନଙ୍କୁ କହିଛନ୍ତି କି ସେ ଏବେ କେବଳ କୃଷକ ମାନଙ୍କ ପାଇଁ ରାଜନୀତି କରିବେ ।

ଛୋଟୁ ରାମ ବିଚାର ମଞ୍ଚ ଚୌଧୁରୀ ବିରେନ୍ଦ୍ର ସିଂଙ୍କ ପ୍ରତିନିଧିତ୍ୱରେ ପରିଚାଳିତ ହେଉଥିବା ଏକ ବେସରକାରୀ ସଂଗଠନ । ଯେଉଁ ସଂଗଠନ ଆଜି ହରିଆଣାରେ କୃଷି ଆଇନ ବିରୋଧରେ ଏକ ଦିବସୀୟ ପ୍ରତିବାଦ କରିବ । କହିରଖୁ କି ଯେତେବେଳେ ବିଭିନ୍ନ ରାଜ୍ୟର ଚାଷୀ ମାନେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଚଲୋ ଡାକରା ଦେଇଥିଲେ ସେତେବେଳେ ହରିଆଣା ବିଜେପି ସରକାର ପକ୍ଷରୁ ସେମାନଙ୍କ ସହ ଆଲୋଚନା କରାଯାଉଥିଲା । ହେଲେ ଏବେ ଯେତେବେଳେ ନିଜ ଦଳର ବରିଷ୍ଠ ନେତା ଏହି ଆଇନକୁ ବିରୋଧ କରିବା ଆରମ୍ଭ କଲେଣି ସେତେବେଳେ ମାମା ଭାବେ ପରିଚିତ ହରିଆଣାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପାଇଁ ଅଡୁଆ ନିଶ୍ଚିତ ଭାବେ ବଢୁଛି ।

Comments are closed.