ଏଣିକି ଖରାଦିନେ ଓଡିଶାରେ ଫଳିବ ସେଓ! କମାଲ କଲେ ଗବେଷକ, ଆସିଲା ଉନ୍ନତମାନର ନୂଆ ସେଓ ଚାରା

1,836

କନକ ବ୍ୟୁରୋ : ଖରାଦିନେ ଫଳିବ ସେଓ । ତାହା ପୁଣି କାଶ୍ମୀର କିମ୍ବା ଅନ୍ୟ କୌଣସି ଥଣ୍ଡା ଅଞ୍ଚଳରେ ନୁହେଁ ବରଂ ଉଷ୍ମ ଜଳବାୟୁ ଥିବା ଓଡିଶାରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗଥିଲେ ମଧ୍ୟ ଏହି ସ୍ୱପ୍ନ ଏବେ ବାସ୍ତବ ରୂପ ନେବାକୁ ଯାଉଛି । ଗବେଷକମାନେ ଏଭଳି ଏକ ସେଓ ଗଛକୁ ବିକଶିତ କରିଛନ୍ତି ଯାହାକୁ ନେଇ ଗରମ ବା ଉଷ୍ମ ଜଳବାୟୁରେ ସେଓ ଚାଷ ସମ୍ଭବପର ହୋଇ ପାରିବ । କମ୍ ମୂଲ୍ୟରେ ଚାଷୀମାନେ ସେଓ ଗଛ କିଣିବା ସହ ଅଧିକ ଲାଭବାନ ମଧ୍ୟ ହୋଇ ପାରିବେ ବୋଲି କହିଛନ୍ତି ଏହି ଗଛକୁ ବିକଶିତ କରିଥିବା ଶାସ୍ୱତ ବ୍ରହ୍ମା ।

ସାଧାରଣତଃ ଶୀତ ଦିନେ ସେଓ ଚାଷ କରାଯାଏ ବୋଲି ଧାରଣା ରହିଛି । ଏପରିକି ସେଓ କଥା ମନକୁ ଆସିଲେ ପ୍ରଥମେ ଜମ୍ମୁକଶ୍ମୀରର ଚିତ୍ର ସାମ୍ନାକୁ ଆସେ । ଶୀତଦିନ ବାଦ୍ ଖରାଦିନେ ସେଓ ଅଧିକ ମହଙ୍ଗା ଦରରେ ବିକ୍ରି ହୋଇଥାଏ । ଏହାକୁ ଦୂର କରିବା ପାଇଁ ଏହିଭଳି ସେଓ ଗଛକୁ ବିକଶିତ କରାଯାଇଥିବା ଶାଶ୍ୱତ କହିଛନ୍ତି । ଓଡିଶା ଭଳି ରାଜ୍ୟରେ ଚାଷୀମାନେ ଏଥିରେ ବେଶ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି ।

ଗୋଟିଏ ଏକର ଜମିରେ ଜଣେ ଚାଷୀ ୫୬୦ଟି ସେଓ ଗଛ ଲଗାଇ ପାରିବେ । ଗୋଟିଏ ସେଓ ଗଛର ଦାମ ୩୫୦ରୁ ୪୦୦ ଟଙ୍କା ମଧ୍ୟରେ ଚାଷୀ କିଣି ପାରିବେ । ସେଓ ଗଛରେ କୌଣସି କୃତ୍ରିମ ସାରର ଆବଶ୍ୟକ ପଡୁନଥିବା ବେଳେ କେବଳ ଗୋବର କିମ୍ବା କମ୍ପୋଷ୍ଟ ଖତ ହିଁ ଦିଆଯିବ । ଏକ ବର୍ଷପରେ ଗଛରେ ସେଓ ଫଳିବା ଆରମ୍ଭ କରିବା ସହ ଗୋଟିଏ ଗଛରେ ୪୦ କେଜି ପର୍ଯ୍ୟନ୍ତ ସେଓ ଫଳି ପାରିବ ବୋଲି ଶାଶ୍ୱତ କହିଛନ୍ତି ।

ସବୁଠାରୁ ବଡ କଥା ହେଲା ଏହି ସେଓ ମାର୍ଚ ମାସରୁ ଜୁନ୍ ମାସ ମଧ୍ୟରେ ଫଳିବ ଏବଂ ଯାହାଫଳରେ ଚାଷୀଙ୍କୁ ଅଧିକ ଟଙ୍କାର ଲାଭ ମିଳିପାରିବ ବୋଲି କହିଛନ୍ତି ଶାଶ୍ୱତ । ଉଭୟ ଅନଲାଇନ ଓ ଅଫଲାଇନରେ ଏହି ସେଓର ଚାରା ପାଇପାରିବେ ଚାଷୀ । କୋଲକାତା ଓ ବିଶାଖାପାଟଣାରେ ଏହି ଚାରାକୁ ପରୀକ୍ଷାମୂଳକ ଭାବେ ଲଗାଯାଇଛି ଓ ସଫଳତା ମଧ୍ୟ ମିଳିଛି । ତେଣୁ ଆଗାମୀ ଦିନରେ ଏହାକୁ ଓଡିଶାର ପ୍ରତ୍ୟେକ ଚାଷୀଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛନ୍ତି ଶାଶ୍ୱତ ।