ନାଗାବଳୀ ଉପରେ ବି ଆନ୍ଧ୍ରର ଆଖି: ତଳମୁଣ୍ଡରେ ୩ଶହ କୋଟି ଟଙ୍କା ବ୍ୟୟରେ ଡ୍ୟାମ ନିର୍ମାଣ ପାଇଁ ଯୋଜନା, ପ୍ରଭାବିତ ହେବ ଓଡ଼ିଶା

79

କନକ ବ୍ୟୁରୋ: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଚର୍ଚ୍ଚାକୁ ଆସିଛି ନାଗବଳୀ ନଦୀ ଉପରେ ଆନ୍ଧ୍ର ଡ୍ୟାମ କରିବା ପ୍ରସଙ୍ଗ । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରଖିବାକୁ ଯାଇ ଜଗନ ରେଡୀ ଏହି ଡ୍ୟାମ ପାଇଁ ବ୍ଳୁପ୍ରିଂଟ ପ୍ରସ୍ତୁତ କରିଥିବାବେଳେ ଓଡିଶା ରାୟଗଡା ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ିଯାଇଛି । ଯଦି ଏହି ଡ୍ୟାମ ହୁଏ ତେବେ ରାୟଗଡା ଜିଲ୍ଲାର ୩ଟି ବ୍ଲକର ବହୁ ଗାଁ ବୁଡିଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ଏହି ଚିରସ୍ରୋତା ନାଗବଳୀ ନଦୀ ଉପରେ ରାୟଗଡା ଜିଲ୍ଲାର ପ୍ରାୟ ୭୦ ପ୍ରତିଶତ ଲୋକ ନିର୍ଭର କରିଥାନ୍ତି । କିନ୍ତୁ ଏବେ ନାଗବଳୀର ପାଣି ଉପରେ ନଜର ପକାଇଛି ଆନ୍ଧ୍ର ସରକାର । ଓଡିଶା ସୀମାଠାରୁ ମାତ୍ର ୮ କିଲୋମିଟର ଦୂର ବିଜୟନଗରମ ଜିଲ୍ଲା କୋଟୁ ନିକଟରେ, ନାଗବଳୀ ଉପରେ ୩ଶହ କୋଟି ଟଙ୍କା ବ୍ୟୟରେ ଏକ ଡ୍ୟାମ ନିର୍ମାଣ ପାଇଁ ଯୋଜନା କରିଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ସର୍ଭେ ବି ଶେଷ କରିଛି । ତୃତୀୟ ପର୍ଯ୍ୟାୟ ସର୍ଭେ ପରେ ଟେଣ୍ଡର ଆହ୍ୱାନ କରାଯିବ । ଡ୍ୟାମ ନିର୍ମାଣ ହେଲେ ଆନ୍ଧ୍ରର ୯୧ ଗାଁ ଉପକୃତ ହେବେ । ଆନ୍ଧ୍ରର ୫ ରୁ ୭ ହଜାର ହେକ୍ଟର ଜମି ଜଚସେଚିତ ହେବ ।

ନାଗବଳୀ ଉପରେ ଯଦି ଆନ୍ଧ୍ର ଡ୍ୟାମ ନିର୍ମାଣ କରେ ତେବେ ଓଡିଶାର ରାୟଗଡା ଜିଲ୍ଲାର ରାୟଗଡା, କୋଲନରା ଓ କଲ୍ୟାଣସିଂପୁର ବ୍ଲକର ଶତାଧିକ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ନଦୀର ଅବବାହିକା ଅଂଚଳର ଗାଁ ଗୁଡିକ ପାଣିରେ ବୁଡିଯିବା ସହ ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହେବାର ଭୟ ସୃଷ୍ଟି ହୋଇଛି । ଆନ୍ଧ୍ର ସରକାର ଡ୍ୟାମ ନିର୍ମାଣ କରିବା ପୂର୍ବରୁ ଓଡିଶା ସରକାର ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

ଆନ୍ଧ୍ରର ଡ୍ୟାମ ନିର୍ମାଣ ଯୋଜନାକୁ ତୀବ୍ର ନିନ୍ଦା କରିବା ସହ ଆଗାମି ଦିନରେ ଏହାକୁ ସଂସଦରେ ଉଠାଇବେ ବୋଲି କହିଛନ୍ତି ସ୍ଥାନୀୟ ସାଂସଦ । ଅନ୍ୟପଟେ ଜଳସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଓଡିଶା ସରକାର ନାଗାବଳୀର ଉପରମୁଣ୍ଡରେ ପ୍ରକଳ୍ପ କରିବା ଦରକାର । ଏସମ୍ପର୍କରେ ଆମେ ଜଳସମ୍ପଦ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟ ନେବା ପାଇଁ ଚାହିଁଥିଲୁ । କିନ୍ତୁ ପ୍ରତିକ୍ରି୍ରୟା ଦେବା ପାଇଁ ମନା କରିଥିଲେ । ଅନୌପଚାରିକ ଭାବେ କହିଥିଲେ ଏନେଇ ବିଭାଗ ପାଖରେ କୌଣସି ସୂଚନା ନାହିିଁ ।