ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୨୦ କିମି ଦୂରରେ ଅଛି ବାତ୍ୟା । 

253

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୨୦ କିଲୋମିଟର ଦୂରରେ ଅଛି । ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଏବେ ପାରାଦୀପରେ ୬୦ରୁ ୮୦ କିମି ବେଗରେ ବହୁଛି ପବନ । ଧିରେ ଧିରେ ବାତ୍ୟା ନିକଟତର ହେଉଥିବାବେଳେ ପବନର ବେଗ ମଧ୍ୟ ବଢୁଛି । ତେଣୁ ସମସ୍ତେ ଘରେ ରୁହନ୍ତୁ ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରୁହନ୍ତୁ ବୋଲି ଏସଆରସ ଅପିଲ କରିଛନ୍ତି । ତେବେ ଲ୍ୟାଣ୍ଡଫଲ ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବାତ୍ୟା ବୋଲି ଆକଳନ କରାଯାଉଛି । ସ୍ଥଳଭାଗରେ ଶିମିଳିପାଳ ପର୍ବତମାଳାରେ ବାତ୍ୟାର ଗତି କମିପାରେ ।

ଅନ୍ୟପଟେ ଏସଆରସିଙ୍କ ସୂଚନା ମୁତାବକ, ରାତି ୧୦ଟା ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଥିଲେ । ସର୍ବାଧିକ ବାଲେଶ୍ୱରରେ ପ୍ରାୟ ୧ ଲକ୍ଷ ୪୩ ହଜାର ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଜେନେରେଟର, ଟ୍ୟାଙ୍କର ମୂତୟନ କରାଯାଇଛି । କେବଳ କିଛି ସ୍ଥାନରେ ପବନ ପ୍ରଭାବରେ ଗଛ ଉପୁଡ଼ିପଡ଼ିଛି । ଅଧିକାଂଶ ଜିଲ୍ଲାରେ ବିଜ୍ଞାପନ ହୋର୍ଡିଂ ବାହାର କରାଯାଇଛି । ଆଉ ସରକାରଙ୍କ ଆଗୁଆ ପଦକ୍ଷେପ ଠିକ୍ ଅଛି ।

ସେହିପରି ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ ପୂର୍ବରୁ ସରକାର ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ, ଏସଆରସି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ କରୁଛନ୍ତି ସମୀକ୍ଷା । ପ୍ରଭାବିତ ହେବାକୁଥିବା ଜିଲ୍ଲା ଗୁଡ଼ିକରେ କୋଭିଡ୍ ଗାଇଡଲାଇନ୍ ରକ୍ଷା କରି କେମିତି ସୁରକ୍ଷିତ ଭାବେ ହେବ ଉଦ୍ଧାରକାର୍ଯ୍ୟ ସେନେଇ କରୁଛନ୍ତି ସମୀକ୍ଷା ।