ଅଶୋଭନୀୟ ଆଚରଣ ପାଇଁ ଟୁର୍ଣ୍ଣାମେଂଟରୁ ବାଦ ପଡିଲେ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି । ୟୁଏସ ଓପନର ପ୍ରି-କ୍ୱାର୍ଟର ଫାଇନାଲରେ ଲାଇନ ଜଜଙ୍କୁ ବଲ ଫୋପାଡିଥିଲେ ନୋଭାକ୍ ଜୋକୋଭିକ

170

କନକ ବ୍ୟୁରୋ : ଅଶୋଭନୀୟ ଆଚରଣ ପାଇଁ ଟୁର୍ଣ୍ଣାମେଂଟରୁ ବାଦ ପଡିଲେ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ୍ ଜୋକୋଭିକ୍ । ୟୁଏସ ଓପନ’ର ପ୍ରି-କ୍ୱାର୍ଟର ଫାଇନାଲ ଖେଳ ଚାଲିଥିବାବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଲାଇନ ଜଜଙ୍କୁ ବଲ ଫୋପାଡିବା କାରଣରୁ ଟୁର୍ଣ୍ଣାମେଂଟରୁ ବାଦ ପଡିଛନ୍ତି ଜୋକୋଭିକ୍ । ଏନେଇ ଆମେରିକା ଟେନିସ ସଂଘ ପକ୍ଷରୁ ବୟାନ ଜାରି କରି ସୂଚନା ଦିଆଯାଇଛି । ଗ୍ରାଣ୍ଡ ସ୍ଲାମର ନିୟମ ଅନୁସାରେ କୌଣସି ଖେଳାଳି ଯଦି ଅଧିକାରୀ ବା ଦର୍ଶକକୁ ଆଘାତ ପହଁଚାଏ ତେବେ ତାଙ୍କ ଉପରେ ଜରିମାନା ଲଗାଯାଇଥାଏ ଓ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥାଏ । ମ୍ୟାଚ ରେଫରୀ ଜୋକୋଭିକ୍ଙଙ୍କୁ ଏଥିପାଇଁ ଦୋଷୀ ପାଇଛନ୍ତି ।

ତେଣୁ ନିୟମ ମୁତାବକ ୟୁଏସ ଓପନର ପ୍ରି-କ୍ୱାର୍ଟର ମୁକାବିଲାରେ ଜୋକୋଭିକଙ୍କୁ ଯେଉଁ ଅର୍ଥ ରାଶି ମିଳିବ ସେଥିରୁ ଜରିମାନା ବାବଦକୁ କଟିବ । ଏଥିସହ ଜୋକୋଭିକଙ୍କ ଏହି ଭୁଲ ପାଇଁ ତାଙ୍କ ର୍ୟାଙ୍କ ମଧ୍ୟ ତଳକୁ ଖସାଇ ଦିଆଯିବ । ରବିବାର ସ୍ପେନ୍ର ଖେଳାଳି ପାବଲୋ କାରିନୋ ବୁଷ୍ଟାଙ୍କ ବିପକ୍ଷରେ ଜୋକୋଭିକ୍ ଖେଳୁଥିବାବେଳେ ଆରମ୍ଭରୁ ଭଲ ପ୍ରଦର୍ଶନ କରି ପାରିନଥିଲେ । ପାବଲୋ ୬-୫ରେ ଆଗୁଆ ଚାଲିଥିଲେ । ଏହି ସମୟରେ ନିରାଶ ହୋଇ ଜୋକୋଭିକ୍ ଏକ ବଲକୁ ପଛକୁ ମାରିଥିଲେ । ଏହି ବଲ୍ ସିଧା ଯାଇ ଲାଇନରେ ଥିବା ଜଣେ ମହିଳାଙ୍କ ବେକରେ ବାଜିଥିଲା । ଏବଂ ତାଙ୍କ ବେକରେ ଆଘାତ ଲାଗିଥିଲା । ଏଥିପାଇଁ ତାଙ୍କୁ ଟୁର୍ଣ୍ଣାମେଂଟରୁ ବାଦ ଦିଆଯାଇଛି । ଅବଶ୍ୟ ଏହି ଘଟଣା ପରେ ସେ ନିଜ ଇନଷ୍ଟାଗ୍ରାମରେ କ୍ଷମା ମାଗିଛନ୍ତି । ତାଙ୍କୁ ଚଳିତ ବର୍ଷ ୟୁଏସ ଓପନ ଟ୍ରଫିର ବଡ ଦାବିଦାର ବୋଲି କୁହାଯାଉଥିଲା ।