ବରଗଡ ଧନୁଯାତ୍ରା କଳାକାର ଚୟନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । କଂସ ଚରିତ୍ର ସହ ୧୧ଟି ଚରିତ୍ର ପାଇଁ ହେବ କଳାକାର ଚୟନ 

177

କନକ ବ୍ୟୁରୋ: କରୋନା ଯୋଗୁଁ ୨ ବର୍ଷ ହେଲା ଆୟୋଜନ ହୋଇ ପାରୁନଥିଲା ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ର।। । କିନ୍ତୁ ଚଳିତ ବର୍ଷ ଧନୁଯାତ୍ରା ଆୟୋଜିତ ହେବାକୁ ଅନୁମତି ମିଳିବା ପରେ ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ନିଷ୍ପତତି କରିଛି ବରଗଡ ଧନୁଯାତ୍ରା କମିଟି । ତେବେ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ନୂଆ କଳାକାର ଚୟନ କରିବାକୁ ନିଷ୍ପତ୍ତି ନେଇଛି କମିଟି ।

ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ବରଗଡ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ, ନୂଆ କଳାକାର ଚୟନ କରିବାକୁ ନିଷ୍ପତ୍ତି ନେଇଛି କମିଟି । ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ଅନୁସାରେ କଳାକାର ଚୟନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମହାରାଜା କଂସ ସମେତ ୧୧ଟି ଚରିତ୍ର ପାଇଁ କଳାକାର ଚୟନ ହେବେ ବୋଲି ଦର୍ଶାଯାଇଛି । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା କଂସ ଭୂମିକା ପାଇଁ କଳାକାରଙ୍କର କି ଯୋଗ୍ୟତା ଥିବା ଆବଶ୍ୟକ..

  • କଂସ ଭୂମିକାରେ ଅଭିନୟ କରିବା ପାଇଁ ବୟସ ସୀମା ୧୮ରୁ ୬୦ ବର୍ଷ ଭିତରେ ହୋଇଥିବ
  • ଗୀତା ଭାଗବତ ଉପରେ ଜ୍ଞାନ ରହିଥିବ
  • ଡାଇଲଗ୍ ଓ ସଂଳାପ ଉଚ୍ଚାରଣ ସଠିକ୍ ରହୁଥିବ
  • ରାଜାଙ୍କ ଅଙ୍ଗଭଙ୍ଗୀ ଚାଲି ଠିକ୍ ରାଜା ପରି ହୋଇଥିବ 
  • ବିନା ପାଣ୍ଡୁଲିପି ବା ବିନା ସ୍କ୍ରିପ୍ଟରେ ଧନୁଯାତ୍ରାର ଡାଇଲଗ୍ ତଥା ଧନୁଯାତ୍ରା ବିଷୟରେ ଜ୍ଞାନ ରହିଥିବ 
  • ପୌରାଣିକ ନାଟକ ବସ୍ତୁ ଉପରେ ଅଭିଜ୍ଞତା ତଥା ଡାଇଲଗ୍ ଜଣାଥିବା ଆବଶ୍ୟକ 
  • କଂସ ଚରିତ୍ର ଅଡିସନ ଦେବା ପାଇଁ କଂସ ବେଶ ପୋଷାକରେ ରହି ଅଡିସନ ଦେବାକୁ ହେବ

ମହାରାଜ କଂସ ସହ ୧୧ଟି ଚରିତ୍ର ପାଇଁ କଳାକାର ଚୟନ କରାଯିବ 

  • ମହାମନ୍ତ୍ରୀ, ସାର୍ତକୀ, ଚାଣୁର, ମୁଷ୍ଟିକ ଓ ଅକ୍ରୁର ଚରିତ୍ର ପାଇଁ କଳାକାର ଚୟନ ହେବ 
  • ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଓ ସେନାପତି ପାଇଁ କଳାକାର ଚୟନ କରାଯିବ
  • ଏଥିପାଇଁ କଳାକାରମାନେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଆବେଦନ କରି ପାରିବେ
  • ଜଣେ କଳାକାର ସର୍ବାଧିକ ୨ଟି ଭୂମିକା ପାଇଁ ଆବେଦନ କରି ପାରିବେ
  • ମନୋନୀତ କଳାକାର ୨୫ ନଭେମ୍ବରରୁ ଧନୁଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଅଭ୍ୟାସ ଓ ଅଭିନୟ ପାଇଁ ବରଗଡରେ ରହିବେ

ଅଭିନୟ କରିବାକୁ ଚାହୁଁଥିବା କଳାକାର ଆବେଦନ ପତ୍ରଗୁଡିକ ‘ବରଗଡ ଧନୁଯାତ୍ରା ମହୋତ୍ସବ ଆଟ ଦି ରେଟ ଜିମେଲ୍ ଡଟ୍ କମ’ ରେ ପଠାଇ ପାରିବେ । ବ୍ୟକ୍ତିଗତ ଭାବରେ ବରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିପାରିବେ । ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ଆବେଦନ । ଡିସେମ୍ବର ୨୭ରୁ ଜାନୁଆରୀ ୬ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ।