ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୧୭ରୁ ନାମାଙ୍କନ, ୫ଟି ପର୍ଯ୍ୟାୟରେ ହେବ ମତଦାନ ।

306

କନକ ବ୍ୟୁରୋ :  ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଉ ଏହାସହ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବାଟ ଖୋଲିଲା ।  ନିର୍ବାଚନ ଅଧିକାରୀ ମାନେ ବିଜ୍ଞପ୍ତି ଜାରି କରିଛନ୍ତି । ପଞ୍ଚାୟତ ଅଫିସରେ ସରପଞ୍ଚ ଓ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଓ ବ୍ଲକ ଅଫିସରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇ ତାରିଖ ଘୋଷଣା କରିଥିଲେ ରାଜ୍ୟ ନିର୍ବାଚନ କମିଶନ ।

ଚଳିତଥର ମୋଟ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୧୭ର ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ । ସେହିଭଳି ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ,  ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ।

ଚୁଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଆସନ୍ତା ଫେବ୍ରୁଆରୀ ୧୬ରୁ ୨୪ ମଧ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ହେବ । ପ୍ରତ୍ୟେକ ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ତେଣୁ ଏହି ଦୃଷ୍ଟିରୁ ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ, ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ । ଚଳିତଥର ରାଜ୍ୟର ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଭୋଟ ଗଣତି ହେବ । ଆସନ୍ତା ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ପ୍ରତ୍ୟେକ ଦିନ ଗୋଟିଏ ବ୍ଲକରେ ଗୋଟିଏ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯିବ । ସେହି ଜିଲ୍ଲା ପରିଷଦ ଜୋନରେ ଯେତେ ସରପଞ୍ଚ ଓ ସମିତି ସଭ୍ୟ ଥିବେ ସେମାନଙ୍କର ମଧ୍ୟ ଭୋଟଗଣତି ସେହିଦିନ ହେବ । ଭୋଟ ଗଣତିକୁ ସରଳ ଓ ସହଜ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସେହିଭଳି ପ୍ରତ୍ୟକ୍ଷ ନିର୍ବାଚନ ଶେଷ ହେବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ଆସନ ପାଇଁ ଲଢେଇ ହେବ । ନିର୍ବାଚିତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରେ ଏହି ପଦ ପାଇଁ ଲଢେଇ ହେବ । ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଆସନ୍ତା ୧୨ ମାର୍ଚ୍ଚରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ସେହିଭଳି ୨୩ ମାର୍ଚ୍ଚରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଅନ୍ୟପଟେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୧୩ ମାର୍ଚ୍ଚରେ ନିର୍ବାଚନ ହେବାକୁ ଥିବା ବେଳେ, ୨୫ ମାର୍ଚ୍ଚରେ ଜିଲ୍ଲା ପରିଷଦ ଉପସଭାପତି ପାଇଁ ନିର୍ବାଚନ ହେବ । ସେହିଭଳି ୧୧ ମାର୍ଚ୍ଚରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।