ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ପାଇଁ ବଢିଲା ଅଡୁଆ । ଟୁଲକିଟ୍ ମାମଲାରେ ଥାନାରୁ ଆସିଲା ନୋଟିସ୍ । ହାଜିରା ନଦେଲେ କାର୍ଯ୍ୟାନୁଷ୍ଟାନ

250

କନକ ବ୍ୟୁରୋ : କରୋନା ଟୁଲକିଟ୍ ମାମଲାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । ରାୟପୁର ସିବିଲ୍ ଲାଇନ ପୋଲିସ ଏନେଇ ସମ୍ବିତ ପାତ୍ରଙ୍କୁ ନୋଟିସ୍ କରିଛି । ଆଜି ପୋଲିସ କରିଥିବା ନୋଟିସ ମୁତାବକ ଆସନ୍ତା କାଲି ଅର୍ଥାତ ୨୩ ତାରିଖ ଅପରାହ୍ନ ୪ ଟା ସୁଦ୍ଧା ସମ୍ବିତ ପାତ୍ର ଥାନାରେ ହାଜର ନହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ କୁହାଯାଇଛି । ପୋଲିସ କହିଛି କି ସମ୍ବିତ ପାତ୍ରଙ୍କୁ ଥାନାରେ ପଚରା ଉଚରା ପାଇଁ ନୋଟିସ ଜାରି କରାଯାଇଛି । ଏହାସହ ସେ ଚାହିଁଲେ ଭିଡଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ ହାଜିର ହୋଇପାରିବେ ।

ପୋଲିସ କହିଛି କି, ବ୍ୟକ୍ତିଗତ କିମ୍ବା ଭଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ନହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଥାଉକି ଏହାପୂର୍ବରୁ ସମାନ ମାମଲାରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ବି ସିବିଲ ଲାଇନ ପୋଲିସ ନୋଟିସ କରିଥିଲା ।

କହିରଖୁ କି କିଛିଦିନ ପୂର୍ବରୁ ବିଜେପିର କିଛି ନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କଂଗ୍ରେସ ପାର୍ଟି ଉପରେ କରୋନା ଟୁଲକିଟ୍ ଜାରି କରିଥିବା ଅଭିଯୋଗ ଆଣିଥିଲା । ଏହି ପୋଷ୍ଟ ସେୟାର କରି ବିଜେପି ନେତାମାନେ କହିଥିଲେ କି କୋଭିଡ ପରିଚାଳନା ନେଇ କଂଗ୍ରେସ ସାରା ଦେଶରେ ବିଦ୍ୱେଷ ସୃଷ୍ଟି କରୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ସମ୍ବିତ ପାତ୍ର, ବିଏଲ ସନ୍ତୋଷ ଆଦି ନେତା ଟ୍ୱିଟ୍ ମାଧ୍ୟମରେ କଂଗ୍ରେସ ଉପରେ ଦୋଷାରୋପ କରି କହିଥିଲେ କି କଂଗ୍ରେସ ଅଧ୍ୟକ୍ଷ ମହାମାରୀର ଦ୍ୱିତୀୟ ଲହରକୁ ମୋଦି ଲହର ନାମରେ ନାମିତ କରି ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଜେପି ନେତାମାନଙ୍କର ଏଭଳି ଅଭିଯୋଗକୁ କଂଗ୍ରେସ ପାର୍ଟି ପକ୍ଷରୁ ଖଣ୍ଡନ କରାଯାଇ ଏହା ଦଳ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଥିଲେ । ଏନେଇ କଂଗ୍ରେସ ପକ୍ଷରୁ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ପାର୍ଟି ପ୍ରବକ୍ତା ରଣଦୀପ ସୁରଜୱାଲା କହିଥିଲେ କି କୋଭିଡ ପରିଚାଳନାରେ ବିଫଳ ହୋଇଥିବା ବିଜେପି ଲୋକଙ୍କ ଧ୍ୟାନ ହଟାଇବାକୁ ଏଭଳି ହୀନ ପ୍ରୟାସ କରୁଛି । ସେପଟେ ସୋସିଆଲ ମିଡିଆ ସାଇଟ ଟ୍ୱିଟର ବି ବିଜେପି ନେତାଙ୍କର ଏହି ଟ୍ୱିଟକୁ ମାନୁପୁଲେଟେଡ ମିଡିଆ ବୋଲି ସ୍ପଷ୍ଟିକରଣ ଦେଇଛି ।