କନକ ବ୍ୟୁରୋ: ପୁଣି ଓଡିଆ ଫିଲ୍ମକୁ ବିରୋଧ । ବଲାଙ୍ଗୀରର କଣ୍ଟାବାଞ୍ଜିରେ ମାଇଁ ସୁଇଟ ହାଉସ ୱାଇଫର ପୋଷ୍ଟର ଚିରିଛନ୍ତି କୋଶଳ ମୁକ୍ତିମୋର୍ଚ୍ଚା ସଦସ୍ୟ । ସିନେମା ହଲ ଆଗରେ ହଙ୍ଗାମା ହୋଇଛି । ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫିଲ୍ମକୁ ବନ୍ଦ କରିବାକୁ ହଲ କର୍ତୃପକ୍ଷଙ୍କୁ ଦାବି କରିଛି କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ । ପ୍ରତିବାଦ ଯୋଗୁ ଆଜି ସୋ’ ବନ୍ଦ ରହିଛି । ତେବେ ଦୁଇ ଦିନ ତଳେ ଝାରସୁଗୁଡାରେ ଫିଲ୍ମ ପ୍ରଥା ଏବଂ ମାଲ୍ୟଗିିରିକୁ ବିରୋଧ ହୋଇଥିଲା ।

Advertisment
  • ଓଡ଼ିଆ ଫିଲ୍ମକୁ କୋଶଳ ମୁକ୍ତି ମୋର୍ଚ୍ଚାର ବିରୋଧ
  • ‘ମାଇଁ ସୁଇଟ୍ ହାଉସ ୱାଇଫ’ର ପୋଷ୍ଟର ଚିରିଲେ

ପୁଣି ଏକ ଓଡ଼ିଆ ଫିଲ୍ମକୁ ବିରୋଧ କରି ପୋଷ୍ଟର ଚିରିବାର ଚିତ୍ର ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ଥିବା ଆଲିସାନ୍ ସିନେମା ହଲ ଆଗରେ ଫିଲ୍ମର ପୋଷ୍ଟର ଚିରିଛନ୍ତି କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟ । ସିନେମା ହଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫିଲ୍ମକୁ ବନ୍ଦ କରିବା ପାଇଁ ହଲ କର୍ତୃପକ୍ଷଙ୍କୁ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରବିବାର ଫିଲ୍ମ ହଲରେ ଚାଲିଥିବାବେଳେ, ସୋମବାର ପ୍ରତିବାଦ ଯୋଗୁ ସୋ’ ବନ୍ଦ ରହିଛି । ଓଡିଆ ଫିଲ୍ମକୁ ଛାଡି ଆଉ ସବୁ ଭାଷାର ଫିଲ୍ମ ଚାଲିପାରିବ ବୋଲି କୋଶଳ ସେନା ଚେତାବନୀ ଦେଇଛି ।

ଓଲିଉଡରେ କଳାକାରଙ୍କ କଳି ଗୋଟିଏ ପରେ ଗୋଟିଏ ଫିଲ୍ମ ଉପରେ ପଡୁଛି । ପୂର୍ବରୁ ଝାରସୁଗୁଡାର ଶିବା ମଲ୍ଟିପ୍ଲେକ୍ସରେ ଲାଗିଥିବା ‘ପ୍ରଥା’ ଫିଲ୍ମର ପୋଷ୍ଟରକୁ କୋଶଳ ସେନା ଚିରିଥିବା ଅଭିଯୋଗ ହୋଇଥିଲା  । ଶୁକ୍ରବାର ପ୍ରଥା ଫିଲ୍ମର ଝାରସୁଗୁଡାର ଶିବା ହଲରେ ପ୍ରମିୟର ସୋ ଲଞ୍ଚ୍ ହେବାର ଥିଲା  । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଳ ସେନା, ସେଠାରେ ଲାଗିଥିବା ସମସ୍ତ ପୋଷ୍ଟର ଓ ବ୍ୟାନର ଚିରି ଦେଇଥିଲା । କିନ୍ତୁ ଏହା ପଛରେ ମନୋଜ ମିଶ୍ରଙ୍କ ହାତ ଥିବା କାନ୍ଦିକାନ୍ଦି ଅଭିଯୋଗ କରିଥିଲେ ଫିଲ୍ମର ପ୍ରଯୋଜିକା ସାନଲିସା ପଟେଲ । ଏପରିକି ତାଙ୍କ ଗିରଫଦାରି ଦାବି କରିଥିଲେ । କିନ୍ତୁ ସୋସିଆଲ ମିଡିଆ ଜରିଆରେ ଅଭିଯୋଗକୁ ଖଣ୍ଡନ କରିଥିଲେ ଅଭିନେତା ମନୋଜ ମିଶ୍ର । ତେଣୁ ପୁଣି ଏକ ଭିଡିଓ କରି ପୋଷ୍ଟର ଚରିଥିବା ଲୋକଙ୍କୁ ଗିରଫ କରିବା ପାଇଁ ମନୋଜ ସେହି ସୋସିଆଲ ମିଡିଆରେ ଆସି ଦାବି କରନ୍ତୁ ବୋଲି ଅନୁରୋଧ କରିଛନ୍ତି ସନଲିସା ।

ସୂଚନାଯୋଗ୍ୟ ଯେ, ପ୍ରଥମେ ଅରିନ୍ଦମଙ୍କ ଅଭିନୀତ ରାମ ଫିଲ୍ମକୁ ସମ୍ବଲପୁରରେ ରିଲିଜ କରାଇ ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଂଘ ଦାୟୀ କରି ୨ ବର୍ଷର ବ୍ୟାନ ଲଗାଇଥିଲା । ପୁଣି ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବାବୁସାନ ଅଭିନୀତ ମାଲ୍ୟଗିରିର ପୋଷ୍ଟର ଚିରିବା ଓ ଜାଳିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହାପରେ ବିବାଦ ଆଗକୁ ବଢିବା ସହ ଗୋଟିଏ ପରେ ଗୋଟିଏ ଓଡିଆ ସିନେମାକୁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ କୋଶଳ ସେନା ବିରୋଧ କରିବାର ଚିତ୍ରସବୁ ସାମ୍ନାକୁ ଆସିବାରେ ଲାଗିଛି ।