ସ୍କୁଲ ଫି’ କମାଇବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି । ବାର୍ଷିକ ୬ ହଜାରରୁ ୧ ଲକ୍ଷ ଯାଏଁ ଭିନ୍ନ ଭିନ୍ନ ଅନୁପାତରେ କମିବ ଫି’ । ଚଳିତ ବର୍ଷ ବଢ଼ିବନି କୌଣସି ଦେୟ ।

171

କନକ ବ୍ୟୁରୋ : କୋହଳ ହେବ ସ୍କୁଲ ଫି । ସମସ୍ତ ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ପିଲାଙ୍କ ଫି’ କମାଇବାର ବାଟ ବାହାର କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ ହେବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ଏହି ସ୍କୁଲ ଗୁଡ଼ିକୁ ଅନୁରୋଧ କରିଛନ୍ତି ।

ସ୍କୁଲ ଫି’ କମାଇବାର ନିଷ୍ପତ୍ତି ଆସିବା ପରେ ସମସ୍ତଙ୍କ ଅଭିଭାବକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି- କେତେ କମିବ ସ୍କୁଲ ଫି’? ହାଇକୋର୍ଟଙ୍କ ରାୟ ପରେ ଯେଉଁ ପ୍ରସ୍ତାବଟି ଆସିଥିଲା ଏବଂ ଯାହା ଲାଗୁ ହେବାକୁ ଯାଉଛି ସେହି ତାଲିକା ଉପରେ ନଜର ପକାନ୍ତୁ ।
ଏମିତି ହେବ ସ୍କୁଲ ଫି’ ଛାଡ଼!
– ବାର୍ଷିକ ୬ହଜାରରୁ ୧୨ ହଜାର ୭.୫%
– ୧୨ ହଜାରରୁ ୨୪ ହଜାର ୧୨%
– ୨୪ ହଜାରରୁ ୪୮ ହଜାର ୧୫%
– ୪୮ ହଜାରରୁ ୭୨ ହଜାର ୨୦%
– ୭୨ ହଜାରରୁ ୧ଲକ୍ଷ ୨୫%
– ବାର୍ଷିକ ୧ଲକ୍ଷରୁ ଅଧିକ ଥିଲେ ୨୬%

ଏହି କ୍ରମରେ ସ୍କୁଲ ଫି’ ଛାଡ଼ କରିବା ପାଇଁ ସବୁ ପକ୍ଷ ସହ ଆଲୋଚନା ପରେ ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ ରାଜ୍ୟ ସରକାର । ଆଉ ଏହି ଆଧାରରେ ସ୍କୁଲ ଫି’ କମାଇବା ପାଇଁ ସ୍କୁଲ ଗୁଡ଼ିକକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

ବାର୍ଷିକ ଟ୍ୟୁସନ୍ ବାହାରେ ଚଳିତ ଶିକ୍ଷାବର୍ଷରେ କୌଣସି ସ୍କୁଲ ଫି’ ବୃଦ୍ଧି କରିପାରିବେ ନାହିଁ । ହଷ୍ଟେଲ ଫି’ ୩୦% ଛାଡ଼ ହେବ । ସ୍କୁଲ ନ ଖୋଲିବା ଯାଏଁ, ଆକ୍ଟିଭିଟି ଫି’, ଲଣ୍ଡ୍ରି ଫି’, ରିଆଡ୍ମିସନ୍ ଫି’, ଡେଭଲପମେଂଟ ଫି’ ଏବଂ ଆନୁଆଲ ଫି’ ଆଦି ଆଦାୟ ନକରିବା ପାଇଁ କୁହାଯାଇଛି ।

ମହାମାରୀ ମାଡ଼ରେ ଯେତେବେଳେ ରୋଜଗାର ପ୍ରଭାବିତ ହୋଇଥିଲା, ସ୍କୁଲ ଫି’ ଛାଡ଼ କରିବା ପାଇଁ ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଥିଲା । ମାମଲା ହାଇକୋର୍ଟରେ ପହଂଚିଥିଲା । ଆଉ ଶେଷରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ ଭଳି ସମସ୍ତ ପକ୍ଷରୁଙ୍କୁ ନେଇ ହାଇକୋର୍ଟରେ ଏକ ପ୍ରସ୍ତାବ ରଖାଯାଇଥିଲା ।

ହାଇକୋର୍ଟଙ୍କ ରାୟ ଆସିବା ପରେ ଆଲୋଚନା ପର୍ଯ୍ୟାଲୋଚନା ଓ ଆଡଭୋକେଟ ଜେନେରାଲଙ୍କ ପରାମର୍ଶକ୍ରମେ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି- ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର, ଓଡିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରାଯିବ । ଆଉ ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।