କନକ ବ୍ୟୁରୋ: ଭୋଟ ପାଇଁ ନୋଟ୍? ପଦ୍ମପୁରରେ ଉଡୁଛି ଟଙ୍କା! ଟଙ୍କା ବଂଟାକୁ ନେଇ ମୁହାଁମୁହିଁ ସ୍ଥିତି । କ୍ୟାମେରାରେ କଏଦ ହୋଇଥିବା ସବୁ ଚିତ୍ର ହୁଏତ ଭୋଟ୍ ପଡ଼ିବା ଆଗରୁ ଭୋଟର୍୍ଙ୍କୁ ପ୍ରଭାବିତ କରିବାର ଗୋଟିଏ ଲେଖାଏଁ ଉଦ୍ୟମ । ପଦ୍ମପୁର ଉପ-ନିର୍ବାଚନରେ ଠିକ୍ ଧାମନଗର ଶୈଳୀରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି । ପଦ୍ମପୁରରେ ବର୍ତମାନ ସାଇଲେଂଟ ପିରିୟଡ୍ ଚାଲିଥିବା ବେଳେ ଭୋଟର୍୍ଙ୍କୁ ଡାଇଭର୍ଟ କଲା ଭଳି ଚିତ୍ର ସାମ୍ନାକୁ ଆସିଛି । ସକାଳେ ପଦ୍ମପୁର ବ୍ଲକ୍ ଚିଠାଖୋଲ୍ ଗାଁରେ ଟଙ୍କା ବଣ୍ଟା ଯାଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଅପରାହ୍ନରେ ପାଇକମାଳ ବ୍ଲକର ସରେଇକେଲା ଗାଁରେ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।
ପଦ୍ମପୁର ବ୍ଲକ୍ ଚିଠାଖୋଲ ଗାଁରେ ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ହୋଇଛି । ଏମିତି କି ଭୋଟ୍ ପିଛା ହଜାରେ ଟଙ୍କା ବଣ୍ଟା ହେବା ସହ ଦୀପ ଛୁଆଁଇ ତାଙ୍କ ପକ୍ଷରେ ଭୋଟ୍ ଦେବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଠିକ୍ ସେହିପରି ପାଇକମାଳ ବ୍ଲକ୍ ସରେଇକେଲା ଗାଁରେ ଟଙ୍କା ବଣ୍ଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗାଁରେ ଏକ ଇନୋଭା ଗାଡ଼ିରେ ଆସିଥିବା କିଛି ଲୋକଙ୍କ ଗତିବିଧିକୁ ନେଇ ଆପତି ଉଠାଇ ଥିଲେ ସ୍ଥାନୀୟ ବାସିନ୍ଦା । ଗାଡ଼ିରେ ଆସିଥିବା ବାହାରି ଲୋକଙ୍କୁ କାବୁ କରିବା ସହ ପୁଲିସ୍କୁ ଏନେଇ ସୂଚନା ଦେଇଥିଲେ ।
ଏସବୁ ଭିତରେ ଶାସକ ବିଜେଡି ଦଳ ଏବଂ ବିରୋଧୀ ବିଜେପି ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ଟଙ୍କା ବଣ୍ଟା ନେଇ ଅଭିଯୋଗ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିିଧି ଜରିଆରେ ଟଙ୍କା ବଣ୍ଟାଯାଉଥିବା ବିଜେଡି ଅଭିଯୋଗ କରିଥିବା ବେଳେ ବିଜେପି ମଧ୍ୟ ସମାନ ଢ଼ଙ୍ଗରେ ପାଲଟା ଅଭିଯୋଗ ଆଣିଛି ।
ଏସବୁ ଭିତରେ ଟଙ୍କା ବାଣ୍ଟିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ଏସପି । ସୂଚନା ଦେଇ ସେ କହିଛନ୍ତି-ନିର୍ବାଚନ ଅନିୟମିତତା ଉପରେ ନଜର ରଖିବା ପାଇଁ ୪୫ଟି ମୋବାଇଲ ଟିମ୍ ନିୟୋଜିତ ହୋଇଛନ୍ତି । ଆବଶ୍ୟକ ସ୍ଥଳରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରାଯାଉଛି । ତେବେ ଟଙ୍କା ବଣ୍ଟାନେଇ କୌଣସି ଅଭିଯୋଗ ଆସିନଥିବା ଏସପି ସୂଚନା ଦେଇଛନ୍ତି । ସେହିପରି ନିର୍ବାଚନ ମଣ୍ଡଳୀର ବାହାର ଲୋକଙ୍କୁ ପଦ୍ମପୁରରୁ ବାହାର କରିବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଏସଡିପିଓ । ଆସନ୍ତକାଲି ପଦ୍ମପୁରରେ ପଡ଼ିବ ଭୋଟ୍ । ତାର ଠିକ୍ ପୂର୍ବରୁ ଟଙ୍କା ବଣ୍ଟା ନେଇ ଆସୁଥିବା ଏକାଧିକ ଅଭିଯୋଗ, ନିର୍ବାଚନୀ ମାହୋଲକୁ ଆହୁରି ଉତେଜନା ପୂର୍ଣ୍ଣ କରି ଦେଇଛି ।