ଆଉ ଶୁଭିବନି ସୁନନ୍ଦାଙ୍କ ସ୍ୱର । ୮୫ ବର୍ଷ ବୟସରେ ଆଖିବୁଜିଲେ ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ ଶିଳ୍ପୀ ସୁନନ୍ଦା ପଟ୍ଟନାୟକ ।

435

କନକ ବ୍ୟୁରୋ: ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଛି । କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା । ଗୁରୁମା ଭାବେ ପରିଚିତ ସୁନନ୍ଦା ହେଉଛନ୍ତି ବିଶିଷ୍ଟ କବି ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ଝିଅ । ୧୯୪୮ ମସିହାରେ ମାତ୍ର ୧୪ ବର୍ଷ ବୟସରେ କଟକ ସ୍ଥିତ ଅଲ ଇଣ୍ଡିଆ ରେଡିଓରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ତତ୍କାଳୀନ ଓଡିଶା ରାଜ୍ୟପାଳ ରେଡିଓରେ ତାଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ତାପରଠାରୁ ରାଜଭବନରେ ଯେତେବେଳେ ଅତିଥି ଆସୁଥିଲେ ସୁନନ୍ଦାଙ୍କୁ ଗୀତ ଗାଇବା ପାଇଁ ନିମନ୍ତ୍ରଣ ମିଳୁଥିଲା ।

ତେବେ ଶାସ୍ତ୍ରୀୟ ସଙ୍ଗୀତରେ ସୁନନ୍ଦା ଦେଶ ତଥା ଦେଶବାହାରେ ବେଶ ପରିଚିତି ଲାଭ କରିଥିଲେ । ୧୯୮୩ ମସିହାରୁ ସୁନନ୍ଦା କୋଲକାତାରେ ରହିଆସୁଥିଲେ । ‘ଜୀବନ ପାତ୍ର ମୋ ଭରିଛ କେତେ ମତେ’ ଗୀତ ତାଙ୍କର ଅନ୍ୟତମ ଲୋକପ୍ରିୟ ଗୀତ ଭାବେ ଆଜି ବି ରହିଛି । ହେଲେ ଆଜି ତାଙ୍କର ବିୟୋଗ ପରେ ପୂରା ସ୍ତବ୍ଧ ହୋଇପଡ଼ିଛି ଶାସ୍ତ୍ରୀୟ ସଂଗୀତ ଜଗତ ।