କଥା ରଖୁନି ଡ୍ରାଗନ୍ । ସୀମାରୁ ସେନା ସମ୍ପୂର୍ଣ୍ଣ ଅପସାରଣ କରିବାକୁ ରାଜି ହେଉନି ଚୀନ୍, ଏଲଏସି ଅଂଚଳରେ ଏବେବି ଚୀନର ପ୍ରାୟ ୪୦ ହଜାର ସୈନ୍ୟ

376

କନକ ବ୍ୟୁରୋ : କଥା ରଖୁନି ଡ୍ରାଗନ୍ । ଫଳରେ ଚୀନ୍ ସହ ସୀମାରେ ଉତେଜନା ଜାରି । ସୀମାରୁ ସେନାକୁ ସମ୍ପୂର୍ଣ୍ଣ ଅପସାରଣ କରିବାକୁ ରାଜି ହେଉନି ଚୀନ୍ । ଆଉ ଚୀନର ହାବଭାବରୁ ଏହା ସ୍ପଷ୍ଟ ହେଉଛି । ଲାଇନ ଅଫ୍ ଆକଚୁଆଲ କଂଟ୍ରୋଲ ବା ଏଲଏସି ଅଂଚଳରେ ଏବେବି ଚୀନର ପ୍ରାୟ ୪୦ ହଜାର ସୈନ୍ୟ ମୁତୟନ ଅଛନ୍ତି । ଏହାସହ ପୂର୍ବରୁ ଦୁଇ ଦେଶର ସେନା ସ୍ତରରେ ଆଲୋଚନାରେ ଯେଉଁ ନିଷ୍ପତି ହୋଇଥିଲା, ତାକୁ ଚୀନ୍ ମଧ୍ୟ ପାଳନ କରୁନଥିବା ଜଣାପଡ଼ିଛି । ଫିଙ୍ଗର-୫ ଅଂଚଳରୁ ହଟିବାକୁ ଚୀନ୍ ସେନା ରାଜି ହେଉନି । ଜୁନ୍ ୧୫ରେ ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା ।

ଏଥିରେ କମାଣ୍ଡିଂ ଅଫିସର ସନ୍ତୋଷ ବାବୁଙ୍କ ସମେତ ଭାରତର ୨୦ ଜଣ ବୀର ଯବାନ ସହିଦ ହୋଇଥିଲେ । ଚୀନ୍ ପକ୍ଷକୁ ମଧ୍ୟ କ୍ଷତି ସହିବାକୁ ପଡ଼ିଥିଲା । ତେବେ ଚୀନ୍ ଏଯାଏଁ ଆନୁଷ୍ଠାନିକ ଭାବେ କ୍ଷୟକ୍ଷତି ନେଇ କିଛି ଘୋଷଣା କରି ନାହିଁ । ତେବେ ଏହି ସଂଘର୍ଷ ପରେ ଉତେଜନା କମ୍ କରିବାକୁ ଉଭୟ ଦେଶ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା । କର୍ପସ୍ କମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ଏହାପରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ତାଙ୍କ ଚୀନ୍ ପ୍ରତିପକ୍ଷ ମଧ୍ୟ ଆଲୋଚନା କରିଥିଲେ ।

ଉଭୟ ଭାରତ ଓ ଚୀନ୍ ସୀମାରୁ ସେନା ଅପସାରଣ କରିବା ନେଇ ରାଜି ହୋଇଥିଲେ । ଗଲୱାନ ଘାଟିରୁ ଚୀନ୍ ଏହାର କିଛି ସେନା ଅପସାରଣ କରିଥିବାର ମଧ୍ୟ ଖବର ଆସିଥିଲା । ଏହାପରେ ଜୁଲାଇ ୧୪ ଓ ୧୫ରେ ପୁଣିଥରେ କର୍ପସ୍ କମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ଏଥିରେ ନିଷ୍ପତି ହୋଇଥିଲା ଯେ, ଏହି ସେନା ଅପସାରଣ ଜାରି ରହିବ । ତେବେ ସମ୍ପୂର୍ଣ୍ଣ ସେନା ଅପସାରଣ ନେଇ ନିଷ୍ପତିକୁ ଚୀନ୍ ଏବେ ପାଳନ କରୁନାହିଁ । ତେଣୁ ଚୀନ୍ ଉପରେ କଡ଼ା ନଜର ରଖିଛି ଭାରତ । ସୀମାରେ ଆମ ସେନା ମଧ୍ୟ ସଜାଗ ରହିଛି ।