ବଦଳିଲା କି ବିଜେପିର ନିର୍ବାଚନ ଲଢ଼େଇ ତରିକା? କେବଳ ମୋଦୀ ଗ୍ୟାରେଣ୍ଟି ନୁହଁ ଏବେ ପୁରୁଣା ମୁଦ୍ଦା ଉପରେ ନଜର

391

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଯେତିକି ଆଗକୁ ବଢୁଛି, ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟ ମତଦାନ ପରେ ୨୦୨୪ ଲୋକସଭା ନିର୍ବାଚନରେ ‘ମୋଦୀ ଗ୍ୟାରେଣ୍ଟି’ରେ ଲଢେଇ କରୁଥିବା ବିଜେପିର ରାଜନୈତିକ ଏଜେଣ୍ଡା ବଦଳିଯାଇଥିବା ଜଣାପଡିଛି । ଦେଶରେ କଂଗ୍ରେସ କ୍ଷମତାରୁ ହଟିବାର ୧୦ ବର୍ଷ ବିତିଗଲାଣି ଏବଂ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି । କିନ୍ତୁ ନିର୍ବାଚନ ପ୍ରଚାରରେ ପୁରୁଣା କଥା ପୁଣି ଥରେ ପ୍ରତିଫଳିତ ହେବାରେ ଲାଗିଛି ।

  • ବଦଳିଲା କି ନିର୍ବାଚନ ଲଢ଼େଇର ତରିକା?
  • ଗ୍ୟାରେଣ୍ଟି ନୁହଁ ଏବେ ପୁରୁଣା ମୁଦ୍ଦା ଉପରେ ନଜର?

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ‘ହିନ୍ଦୁତ୍ୱ’ର ପିଚରେ ନିର୍ବାଚନ ଲଢିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଏବଂ କଂଗ୍ରେସକୁ ଏକ ମୁସଲମାନ ସମର୍ଥକ ଦଳ ବୋଲି କହିବାକୁ ଚେଷ୍ଟା କରିଛନ୍ତି । ଏହି କାରଣରୁ ହିନ୍ଦୁ-ମୁସଲମାନ, ପାକିସ୍ତାନ ଆଦି ପ୍ରସଙ୍ଗ ପୁଣି ଥରେ ମୁଦ୍ଦା ପାଲଟିଛି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ବିଜେପି ଏବେ ‘ମୋଦି ଗ୍ୟାରେଣ୍ଟି’ ତୁଳନାରେ ପୁରୁଣା ପ୍ରସଙ୍ଗକୁ ଅଧିକ ପ୍ରାଧାନ୍ୟ ଦେଉଛି କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନମାନଙ୍କ ପାଇଁ ‘ଅନୁପ୍ରବେଶକାରୀ’ ଏବଂ ‘ଅଧିକ ସନ୍ତାନ ଜନ୍ମ’ ଭଳି ଶବ୍ଦ ବ୍ୟବହାର କରିଛନ୍ତି । କଂଗ୍ରେସ ରାମ ମନ୍ଦିର ଉତ୍ସବରେ ଅଂଶଗ୍ରହଣ କରୁନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ହନୁମାନ ଜୟନ୍ତୀ ଅବସରରେ ସେ ହନୁମାନ ଚାଳିସା ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟତଃ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

କେବଳ ଏତିକି ନୁହେଁ, କର୍ଣ୍ଣାଟକରେ ହନୁମାନ ଚାଳିସାକୁ ନେଇ ଜଣେ ଦୋକାନୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୋଦୀ କଂଗ୍ରେସକୁ ସମାଲୋଚନା କରିଛନ୍ତି । କଂଗ୍ରେସ ଦଳିତ, ଓବିସି ଏବଂ ଆଦିବାସୀଙ୍କୁ ଧର୍ମ ଆଧାରରେ ମୁସଲମାନମାନଙ୍କୁ ସଂରକ୍ଷଣ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରିଛନ୍ତି । ଯାହା ରାଜନୈତିକ ପାରା ବଢ଼ାଇଛି । ଦଳର ଶୀର୍ଷ ନେତାଙ୍କ ଏହି ବୟାନ ପରେ ବିଜେପିର ସମସ୍ତ ଛୋଟ ବଡ଼ ନେତା ସେମାନଙ୍କ ନିର୍ବାଚନ ପ୍ରଚାରରେ ଏହି ସବୁ ପ୍ରସଙ୍ଗକୁ ଉଲ୍ଲେଖ କରୁଥିବା ଦେଖିବାକୁ ମିଳୁଛି ।

  • ପ୍ରଥମ ପର୍ଯ୍ୟାୟ ପରେ ପୁରୁଣା ପ୍ରସଙ୍ଗକୁ କାହିଁକି ଫେରିଲା ବିଜେପି?
  • ୪୦୦ ପାର ନାରାକୁ ପୂରଣ ପାଇଁ ଦରକାର କି ପୁରୁଣା ପ୍ରସଙ୍ଗ?

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ସାଧାରଣତଃ ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ଏହି ପର୍ଯ୍ୟାୟରେ ଭୋଟିଂ ହୋଇଛି । ଏବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେପିର ସବୁଠାରୁ ବଡ଼ ଚିନ୍ତା ଥିଲା ଲୋକସଭା ନିର୍ବାଚନର ମାହୋଲକୁ କିପରି ଗରମ କରାଯିବ? ଆଉ ପୂର୍ବ ଭଳି ଲୋକେ ମୋଦୀ-ମୋଦୀ ନାରା ଦେବା ଆରମ୍ଭ କରିବେ । ମୋଦୀ ଗ୍ୟାରେଣ୍ଟି, ବିକଶିତ ଭାରତର ସଂକଳ୍ପ ଏବଂ ଅର୍ଥନୈତିକ ପ୍ରସଙ୍ଗ ରାଜନୈତିକ କ୍ଷେତ୍ରରେ ବିଶେଷ ପ୍ରଭାବ ପକାଉନାହିଁ, କାରଣ ଭୋଟରମାନେ ସେମାନଙ୍କ ସହିତ ସିଧାସଳଖ ଚିନ୍ତିତ ନୁହଁନ୍ତି । ସେଥିପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ମୋଦୀଙ୍କୁ ତାଙ୍କ ପୁରୁଣା ପ୍ରସଙ୍ଗକୁ ଫେରିବାକୁ ପଡିଛି ବୋଲି କୁହାଯାଉଛି ।

ଗତ ୩-୪ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୁତ୍ୱ, ମୁସଲମାନ, ଅନୁପ୍ରବେଶକାରୀ ଭଳି ଶବ୍ଦ ଯେପରି ବ୍ୟବହାର କରିଛନ୍ତି, ସେଥିରେ ସେ ନିଜର ମୂଳ ଭୋଟ୍ ବ୍ୟାଙ୍କକୁ ସିଧାସଳଖ ରାଜନୈତିକ ବାର୍ତ୍ତା ଦେବା ସହ ଲୋକସଭା ନିର୍ବାଚନର ଚିତ୍ର ବଦଳାଇବାକୁ ଚେଷ୍ଟା କରିଛନ୍ତି ।

ଏଥର ବିରୋଧୀ ବହୁ ରଣନୀତି ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ମୁସଲମାନ ଭୋଟରମାନେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି । ଯେଉଁକାରଣରୁ ଧାର୍ମିକ ଧ୍ରୁବିକରଣ ହେଉନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁରୁଣା ଏଜେଣ୍ଡାକୁ ଫେରିବା ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି । କାରଣ ସେ କୁଆଡେ ଚାହୁଁଛନ୍ତି ଯେ ବିରୋଧୀମାନେ ତାଙ୍କ ବୟାନର ଜବାବ ଦିଅନ୍ତୁ । ଯାହା ବିଜେପିକୁ ସୁହାଇପାରେ ।