କନକ ବ୍ୟୁରୋ: ସ୍କୁଲ ୟୁନିଫର୍ମରେ ଲାଗିଛି ରାଜନୀତିର ରଙ୍ଗ । ସ୍କୁଲ ପିଲାଙ୍କ ପୋଷାକର ରଙ୍ଗ ବଦଳିବା ପରେ ଯେଉଁ ଆଶଙ୍କା କରାଯାଉଥିଲା, ଅବିକଲ ସେଇଆ ଦେଖିବାକୁ ମିଳିଛି । ପିଲାଙ୍କ ୟୁନିଫର୍ମରେ ଥିବା ସବୁଜ ରଙ୍ଗ ଭିତରେ, ଶାସକ ବିଜୁ ଜନତା ଦଳର ଦଳୀୟ ରଙ୍ଗ ଖୋଜିବାକୁ ଉଦ୍ୟମ କରିଛନ୍ତି ବିରୋଧୀ । ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ ୟୁନିଫର୍ମର ରଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଉଠାଇଛନ୍ତି ଏକାଧିକ ପ୍ରଶ୍ନ-

Advertisment

ନବମ-ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ୟୁନିଫର୍ମରେ ସବୁଜ ରଙ୍ଗକୁ ଦେଖି ଚିହିଁକି ଉଠିଛନ୍ତି ବିଜେପି ବିଧାୟକ । ସୂଯ୍ୟବଂଶୀ ସୂରଜ ପ୍ରଶ୍ନ କରିଛନ୍ତି- ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରୋକ୍ଷ ଭାବେ ଦଳୀୟ ଭାବନାକୁ ଟାଣୁ ନାହାଁନ୍ତି ତ? ରାଜ୍ୟ ସରକାର କେଉଁ ଆଧାରରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଅର୍ଥରେ ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନା ଘୋଷଣା କରିଛନ୍ତି? ପର ଘର ତିଅଣରେ ଅତିଥି ସକ୍ରାର ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଓଡ଼ିଶାରେ ୧୯% ନବଜାତ ଶିଶୁଙ୍କ ଓଜନ କମ, ୩୧% ଶିଶୁ ପୁଷ୍ଟିହୀତତାର ଶିକାର, ୬୦%ରୁ ଅଧିକ ଶିଶୁ ରକ୍ତହୀନତାରେ ପୀଡ଼ିତ ଏଭଳି ସ୍ଥିତିରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ନେଇ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ବିଜେପି ଭଳି କଂଗ୍ରେସ ମଧ୍ୟ ୟୁନିଫର୍ମରେ ସବୁଜ ରଙ୍ଗକୁ ନେଇ ଆପତି ଉଠାଇଛି । କଂଗ୍ରେସ ବିଧାୟକ, ତାରା ପ୍ରସାଦ ବାହିନୀପତି କହିଛନ୍ତି- ପୂର୍ବରୁ ସରକାରୀ କାର୍ଯ୍ୟାଳୟ, ସରକାରୀ ସ୍କୁଲ ଓ ପାଣି ଟାଙ୍କିକୁ ସବୁଜ ରଙ୍ଗରେ ରଙ୍ଗୀନ କରାଯାଉଥିଲା । ଏବେ ପିଲାଙ୍କ ୟୁନିଫର୍ମର ରଙ୍ଗ ମଧ୍ୟ ବଦଳାଇ ଦିଆଯାଇଛି । ଏହା କୌଣସି ଦଳୀୟ ଟଙ୍କାରେ ହେଉନି, ଏହା ଲୋକଙ୍କ ଟଙ୍କା ବୋଲି କହିଛନ୍ତି ଜୟପୁର ବିଧାୟକ ।

ବିରୋଧୀଙ୍କ ଏହି ଆକ୍ରମଣକୁ କିନ୍ତୁ ସହଜରେ ଗ୍ରହଣ କରିନି ଶାସକ ବିଜେଡି । ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଟୁଇଟ୍ କରି ଲେଖିଛନ୍ତି- ରଙ୍ଗକୁ ନେଇ ନକରାତ୍ମକ ରାଜନୀତି କରୁଥିବା ସୂରଜଙ୍କୁ ଲଜ୍ଜ୍ୟା ଲାଗିବା ଉଚିତ । ରାଜନୀତି କରିବାକୁ ଆହୁରି ପ୍ରସଙ୍ଗ ଅଛି ବୋଲି ସେ ଲେଖିଛନ୍ତି । ଏପଟେ ବିଜେଡି ବିଧାୟକ ଦେବୀ ରଂଜନ ତ୍ରିପାଠୀ କହିଛନ୍ତି- ସଂମୃଦ୍ଧିର ରଙ୍ଗ ହେଉଛି ସବୁଜ । ଏହା ପିଲାଙ୍କ ଭିତରେ ସକରାତ୍ମକ ଭାବ ସୃଷ୍ଟି କରିିବ । ରାଜନୀତିର ଏହି ବୟାନବାଜି ଭିତରେ ନୂଆ ୟୁନିଫର୍ମ ପିନ୍ଧି ସ୍କୁଲ ଯିବେ ନବମ ଓ ଦଶକ ଶ୍ରେଣୀ ଛାତ୍ରଛାତ୍ରୀ ।