କନକ ବ୍ୟୁରୋ: ନିଜର ସମସ୍ୟା ଜଣାଇବା ପାଇଁ ଜିଲ୍ଲା ସଦର ମହୁକମା କି ବ୍ଲକ ଅଫିସକୁ ଯିବାକୁ ପଡିବନି । କାରଣ ଦୁର୍ଗମ ଅଂଚଳର ସମସ୍ୟା ଜାଣିବା ପାଇଁ ପଂଚାୟତକୁ ଆସୁଛନ୍ତି ରାୟଗଡା ଜିଲ୍ଲାପାଳ । ଆଉ ଘର ପାଖରେ ପ୍ରଶାସନିକ ଅଧିକାରୀଙ୍କୁ ପାଇ ଅଭିଯୋଗ ଜଣାଇଛନ୍ତି ଗ୍ରାମବାସୀ ।

Advertisment

ପାହାଡ ପର୍ବତ ଘେରା ପୁଟାସିଂ ପଂଚାୟତ ଅଫିସର ଚାଲିଛି ଅଭିଯୋଗ ଶୁଣାଣି ଶିବିର । ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକଙ୍କ ସମସ୍ୟା ବାବଦରେ ଜାଣିବା ପାଇଁ ପଂଚାୟତ ଅଫିସକୁ ଆସିଛନ୍ତି ଖୋଦ୍ ଜିଲ୍ଲାପାଳ । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା ସଭା ଗୃହରେ ଆୟୋଜିତ ପଂଚାୟତ ସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ୯୯ଟି ଅଭିଯୋଗ ଶୁଣିଛନ୍ତି ଜିଲ୍ଲାପାଳ ସ୍ୱଧା ଦେବ ସିଂ । ୩୨ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୬୭ଟି ଗ୍ରାମବାସୀଙ୍କ ସାମୁହିକ ଅଭିଯୋଗ । ମୁଖ୍ୟତଃ ରାସ୍ତାଘାଟ, ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତକରଣ ସମ୍ପର୍କିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ପୂର୍ବରୁ ଦୁର୍ଗମ ଅଂଚଳର ଲୋକମାନେ ସମସ୍ୟା ଜଣାଇବା ପାଇଁ ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରକୁ ଆସୁଥିଲେ । ହେଲେ ଏବେ ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲାପାଳ ସ୍ୱଧା ଦେବ ସିଂ ନିଜେ ପଂଚାୟତକୁ ଆସିଛନ୍ତି । ଆଉ ଏ ସଂପର୍କରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ କହିଛନ୍ତି, ଆଗକୁ ଦୁର୍ଗମ ଅଂଚଳରେ ଅଧିକରୁ ଅଧିକ ଅଭିଯୋଗ ଶୁଣାଣି ଶିବିର କରି ଲୋକଙ୍କ ସମସ୍ୟାର ସମାଧାନ କରାଯିବ । ଲୋକଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଜିଲ୍ଲାପାଳ ପଂଚାୟତରେ ପହଂଚିବା ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।