କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ସୁନାବେଶ । ବାହୁଡା ଯାତ୍ରାରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ସମ୍ମୁଖକୁ ଫେରିବା ପରେ ଆଜି ମହଣ ମହଣ ସୁନାରେ ସଜେଇ ହେବେ ସାଆନ୍ତେ । ଏଥିପାଇଁ ପୁରୀରେ ବି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରଥ ଉପରୁ ଆଜି ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ତେବେ ଆପଣ ଜାଣିଛନ୍ତି କି? ବର୍ଷକୁ କେବଳ ଥରେ ନୁହେଁ ବରଂ ୫ ଥର ସୁନାବେଶରେ ସଜେଇ ହୁଅନ୍ତି ମହାପ୍ରଭୁ । ଯାହାକି ଆଜି ବି ଅନେକଙ୍କୁ ଅଜଣା ।

ପ୍ରତିବର୍ଷ ମହାପ୍ରଭୁଙ୍କ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ) ସହିତ ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ମହାପ୍ରଭୁ ସୁନାବେଶରେ ସଜେଇ ହେଇଥାନ୍ତି । ତେବେ ରଥଯାତ୍ରା ସମୟରେ ରଥ ଉପରେ ମହାପ୍ରଭୁ ସୁନାବେଶରେ ସଜେଇ ହେଉଥିବାରୁ, ବାହୁଡା ଏକାଦଶୀ ସୁନାବେଶ ବିଶ୍ୱପ୍ରସିଦ୍ଧ ଅଟେ ।

ତେବେ ଆଷାଢ ଶୁକ୍ଲ ଏକାଦଶୀ ବା ବାହୁଡା ଏକାଦଶୀରେ ହେଉଥିବା ସୁନାବେଶ ରଥ ଉପରେ ହେଇଥାଏ । ବାକି ସମସ୍ତ ସୁନାବେଶ ମନ୍ଦିର ମଧ୍ୟରେ ସମାପନ ହେଇଥାଏ । ଜାଣିରଖିବା ଉଚିତ୍ ଯେ, ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ୟ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।