ପୁରୁଷ ନୁହେଁ ଏଠି ମହିଳାମାନେ କରୁଛନ୍ତି ପରିବା ଚାଷ, ଜୈବିକ ସାର ବ୍ୟବହାର କରି ହେଉଛନ୍ତି ଲାଭବାନ

180

କନକ ବ୍ୟୁରୋ : କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । ଆଉ ଏହି ଚାଷ କାମରେ କେବଳ ପୁରୁଷମାନେ ଯେ ସଫଳ ହୋଇପାରିବେ ତା’ ନୁହେଁ । ମହିଳା ମାନେ ବି ଚାଷ କାମ କରି ସଫଳତା ହାସଲ କରିପାରିବେ । ଯାହା ପ୍ରମାଣିତ କରିଛନ୍ତି ଡେଙ୍କାନାଳ କଙ୍କଡାହାଡ଼ ବ୍ଲକ ସାହାଲା ଗାଁର ମହିଳା । ପନିପରିବା ଚାଷ କରି କିଛି ରୋଜଗାର କରିବା ସହ ଅନ୍ୟ ମହିଳା ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଜୈବିକ ସାର ପ୍ରୟୋଗ କରି ଚାଷ କରୁଛନ୍ତି ଶକ୍ତି ମା ଜ୍ୟୋତି ଉତ୍ପାଦକ ସଂଘର ସଦସ୍ୟା । ବାଇଗଣ, ଝୁଡ଼ଙ୍ଗ, କଲରା, ଶାଗ, ଫୁଲକୋବି, ଲଙ୍କା, କଦଳୀ, ମୂଳା ଭଳି ପରିବା ଚାଷ କରି ଲାଭବାନ ହେଉଛନ୍ତି ଏମାନେ । ଏହାଦ୍ୱାରା ମହିଳାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିଛି ।

ବିନା ରାସାୟନିକ ସାରରେ ପରିବା ଚାଷ କରୁଥିବାରୁ ବ୍ୟବସାୟୀ ମାନେ ଏହାକୁ ଖୁସିରେ କିଣି ନେଉଛନ୍ତି । ଏହା ସହ ମହିଳା ମାନେ ଏକ ବିକ୍ରୟ କେନ୍ଦ୍ର କରି ପନିପରିବା ବିକ୍ରି କରୁଛନ୍ତି । ପାଖାପାଖି ୧୦୦ରୁ ଅଧିକା ମହିଳା ଏହି ଗ୍ରୁପ୍ ମାଧ୍ୟମରେ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଜଳସେଚନର ସୁବିଧା ନଥିବାରୁ ଚାଷ କାମରେ ମହିଳା ମାନେ ସମସ୍ୟାର ମମ୍ମୁଖୀନ ହେଉଛନ୍ତି । ଏହାର ସୁବିଧା କରାଗଲେ ଚାଷରେ ଆହୁରି ଉନ୍ନତି ଆଣିପାରନ୍ତେ ବୋଲି ସେମାନେ କହିଛନ୍ତି ।

ମିଶନ ଶକ୍ତି ସହଯୋଗରେ ମହିଳା ମାନେ ପରିଶ୍ରମ କରି କ୍ଷେତରେ ଫଳାଇଛନ୍ତି ସୁନା ଫସଲ । ଏହାଦ୍ୱାରା ସ୍ଥାନୀୟ ଅଂଚଳରେ ପନିପରିବାର ଅଭାବ ମଧ୍ୟ ରହୁନାହିଁ । ହାତପାହାନ୍ତାରେ ତଟକା ପନିପରିବା ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି ଲୋକେ ।