ବଢୁଛି ଭିତ୍ତିଭୂମି କଳେବର, ହେଲେ କମୁଛନ୍ତି କ୍ରୀଡାବିତ । ରାଜ୍ୟରୁ ବାହାରୁ ନାହାନ୍ତି ଅଧିକ ଅନ୍ତର୍ଜାତୀୟ ଖେଳାଳି । ଅଲିମ୍ପିକ୍ସରେ ମଧ୍ୟ କମୁଛି ଓଡ଼ିଆଙ୍କ ସଂଖ୍ୟା ।

89

କନକ ବ୍ୟୁରୋ: ଓଡିଶାରେ ଖେଳ ଭିତ୍ତିଭୂମିର କଳେବର ବଢୁଛି । ହେଲେ ସେହି ଅନୁପାତରେ କ୍ରୀଡାବିତଙ୍କ ସଂଖ୍ୟା ବଢୁନାହିଁ । ରାଜ୍ୟରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ବାହାରୁ ନାହାନ୍ତି । ଜାତୀୟସ୍ତରରେ ଓଡିଶାର ପ୍ରତିନିଧିତ୍ୱ କମିଯାଉଛି । ଏପରିକି ଅଲିମ୍ପିକ୍ସରେ ମଧ୍ୟ ଓଡିଆଙ୍କ ସଂଖ୍ୟା କମି କମି ଯାଉଛି । ହେଲେ ଏହା ପଛର କାରଣ କଣ ? ରାଜ୍ୟର ଖେଳାଳିଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ ନା ସରକାରୀ ପ୍ରୋତ୍ସାହନର ଅଭାବ ରହିଛି ।

  • ବଢୁଛି କ୍ରୀଡ଼ା କଳେବର, କମୁଛନ୍ତି କ୍ରୀଡ଼ାବିତ
  • ରାଜ୍ୟରେ ବାହାରୁ ନାହାନ୍ତି ଅନ୍ତର୍ଜାତୀୟ ଖେଳାଳି
  • ମିଳୁନି ଗୁରୁତ୍ୱ ନା’ ପ୍ରୋତ୍ସାହନର ଅଭାବ ?

ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ରହିଛି ଅନେକ ସମ୍ଭାବନା । ହକି ବିଶ୍ୱକପଠାରୁ ନେଇ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ, ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ ଭଳି ବଡ଼ ବଡ଼ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଓଡ଼ିଶା । କିନ୍ତୁ ଅନ୍ତର୍ଜାତୀୟ କ୍ରୀଡ଼ାବିତ ସୃଷ୍ଟି କରିବାରେ କାହିଁକି ପଛରେ ପଡ଼ିଛି ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । କ୍ରୀଡ଼ା ପାଇଁ ଭିତ୍ତିଭୂମି ରହିଥିଲେ ମଧ୍ୟ ଓଡ଼ିଆ ଖେଳାଳିଙ୍କୁ ମିଳୁପାରୁନି ଏହାର ଫାଇଦା । ଗତ ୩ଟି ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଦେଖିଲେ ଏହା ସ୍ପଷ୍ଟ ଜଣାପଡୁ଼ୁୁଛି । ଅମିତ ରୋହିଦାସ, ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, କିଶୋର ଜେନାଙ୍କ ଭଳି କିଛି ହାତ ଗଣତି କ୍ରୀଡ଼ାବିତଙ୍କୁ ଛାଡ଼ିଦେଲେ ଯୁବ ପ୍ରତିଭା ସୃଷ୍ଟି କରିବାରେ ପଛରେ ପଡ଼ିଛି ଓଡ଼ିଶା ।

  • କେଉଁଠି ରହିଛି ତ୍ରୁଟି?
  • କିପରି ସୃଷ୍ଟି ହେବେ ନୂଆ ଖେଳାଳି?

ରାଜ୍ୟର କ୍ରୀଡ଼ାବିତଙ୍କ ବିକାଶ କଥା ଭୁଲି ରାଜ୍ୟ ବାହାର ଖେଳାଳିଙ୍କୁ ଦିଆଯାଇଛି ଅଧିକ ଗୁରୁତ୍ୱ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜ୍ୟର କ୍ରୀଡ଼ାବିତ । ବ୍ଲକ ସ୍ତରରେ କ୍ରୀଡ଼ା ପ୍ରଶିକ୍ଷକ ନଥିବା ମୁଖ୍ୟ ସମସ୍ୟା ବୋଲି କହିଛନ୍ତି ବରିଷ୍ଠ ଖେଳାଳି । ସେହିପରି ହାଇପ୍ରଫର୍ମାନ୍ସ ସେଣ୍ଟର ନାଁରେ ବିଲ୍ଡିଂ ଛିଡ଼ା କରିବା ଓ ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ଫାଇଦା ରାଜ୍ୟ କ୍ରୀଡ଼ାବିତଙ୍କୁ ମିଳୁଛି ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନ ।

ତେବେ ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି । ତୃଣମୂଳ ସ୍ତରରେ କ୍ରୀଡ଼ାବିତଙ୍କୁ କିପରି ପ୍ରୋତ୍ସାନ ମିଳିବ, ସେ ଦିଗରେ ନୂଆ ସରକାର ଧ୍ୟାନ ଦେଲେ ଓଡ଼ିଶାରେ ଅନେକ ପ୍ରତିଭା ସୃଷ୍ଟି ହୋଇପାରିବେ ବୋଲି ଆଶା କରାଯାଉଛି ।