କନକ ବ୍ୟୁରୋ : କେବଳ ବିରଜୁ କୁଲୁ ନୁହଁନ୍ତି ପ୍ରାୟ ୨୦ ବର୍ଷ ତଳେ ପାକିସ୍ତାନ ଜେଲରେ ୭ ବର୍ଷ ଧରି ବନ୍ଦୀ ଜୀବନ ବିତାଇବା ପରେ ନିଜ ଜନ୍ମମାଟିକୁ ଫେରିଥିଲେ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଂଚଳର କୁନ୍ଦନ ଗୁଡିଆ । ପରିବାରର ଆର୍ଥିକ ଦୁର୍ଗତି ଯୋଗୁଁ ଦାଦନ ଖଟିବାକୁ ରାଜସ୍ଥାନ ଯାଇଥିଲେ କୁନ୍ଦନ । ମଇଁଷି ଚରାଉଥିବା ବେଳେ ଭୁଲ ବଶତଃ ପାକ୍ ସୀମାକୁ ଚାଲି ଯିବା ପରେ ପାକ୍ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିଲା । ପ୍ରବଳ ମାଡ ଦେଇ ତାଙ୍କୁ ଭର୍ତି କରାଯାଇଥିଲା ପାକିସ୍ତାନର ଜେଲରେ ।
ଏହା ପରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ପ୍ରାୟ ୭ ବର୍ଷ ପରେ କୁନ୍ଦନ ଫେରିଥିଲେ ନିଜର ଜନ୍ମମାଟିକୁ । ପାକ୍ ଜେଲରୁ ଫେରିବା ସମୟକୁ ତାଙ୍କର ହାତ ଗୋଡ ଆଉ ଆଗ ପରି କାମ କରୁନଥିଲା । ଏବେ ତାଙ୍କୁ ପ୍ରାୟ ୬୦ ବର୍ଷ ବୟସ । ପାକ୍ ଜେଲରୁ ଫେରିବା ପରେ ବୀରମିତ୍ରପୁର ଲାକୋଠି ବସ୍ତିର କୁନ୍ଦନ ଗୁଡିଆ ଏବେ ତାଙ୍କ ଝିଅ ସାହାରାରେ ବଂଚୁଛନ୍ତି । ତେବେ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା କହିଛନ୍ତି କୁନ୍ଦନ ।