କନକ ବ୍ୟୁରୋ : କ୍ୟାପଟେନ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଥିବା ନେଇ ହେଉଥିବା ଆଲୋଚନାରେ ବିରାମ ଲଗାଇଛନ୍ତି ନିଜେ କ୍ୟାପଟେନ । ସେ କହିଛନ୍ତି କି ଖୁବଶୀଘ୍ର କଂଗ୍ରେସ ଛାଡିବାକୁ ଯାଉଛନ୍ତି ହେଲେ ସେ ବିଜେପିରେ ଯୋଗ ଦେଉଥିବା କଥାକୁ ଖଣ୍ଡନ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କ୍ୟାପଟେନ କହିଛନ୍ତି କି ଯେଉଁଠି ସ୍ୱାଭିମାନ ଓ ଆତ୍ମ ସମ୍ମାନ ଉପରେ ଆଞ୍ଚ ଆସୁଛି ସେଠାରେ ସେ ରହିବା ସମ୍ଭବ ନୁହେଁ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବାର ଗୋଟିଏ ଦିନ ପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କ୍ୟାପଟେନ କହିଛନ୍ତି ଯେ ସେ ଏବେ କଂଗ୍ରେସରେ ଅଛନ୍ତି କିନ୍ତୁ କଂଗ୍ରେସରେ ରହିବେ ନାହିଁ । କଂଗ୍ରେସ ତରଫରୁ ତାଙ୍କୁ କରାଯାଇଥିବା ବ୍ୟବହାର ସହିବାର କ୍ଷମତା ତାଙ୍କର ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ସେ ଆହୁରି କହିଛନ୍ତି କି କଂଗ୍ରେସ ହାଇକମାଣ୍ଡ ୫୦ ବର୍ଷ ପରେ ମୋ ବିଶ୍ୱସନୀୟତାକୁ ନେଇ ସନ୍ଦେହ କରିଛନ୍ତି, ଯାହାକି ତାଙ୍କ ପାଇଁ ଘୋର ଅପମାନ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଦିଲ୍ଲୀରେ ଥିବା କ୍ୟାପଟେନଙ୍କୁ ବୁଝାଇବାକୁ କଂଗ୍ରେସର ବରିଷ୍ଠ ନେତାମାନେ ପ୍ରୟାସ ଆରମ୍ଭ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ ଓ କମଲନାଥ କ୍ୟାପଟେନଙ୍କୁ ଭେଟିବାକୁ ଚେଷ୍ଟା କରୁଥିବା ବେଳେ କ୍ୟାପଟେନ ସ୍ପଷ୍ଟ କରିଛନ୍ତି କି ସେ କୌଣସି ପରିସ୍ଥିତିରେ ସେ ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିବେ ନାହିଁ ।
କହିରଖୁ କି ଗତକାଲି ଗୃହମନ୍ତ୍ରୀ ଅମିତ ଶାହା, ଆଜି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଭେଟିବା ପରେ କ୍ୟାପଟେନ ବିଜେପିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ କ୍ୟାପଟେନଙ୍କ ବୟାନ ଆସିବା ପରେ ଏହି ଚର୍ଚ୍ଚା ଥମିଛି । ହେଲେ କ୍ୟାପଟେନ କଂଗ୍ରେସ ଛାଡିବା ସହ ରାଜନୀତି ଛାଡୁଥିବା କଥା ବି ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି ।