କନକ ବ୍ୟୁରୋ : ଚଳିତ ମାସ ୧୮ରୁ ୨୨ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ । ଏହାପୂର୍ବରୁ କିନ୍ତୁ ଅଧିବେଶନର କାର୍ଯ୍ୟସୂଚୀ ବାବଦରେ ସରକାର କିଛି ସ୍ପଷ୍ଟ କରି ନାହାନ୍ତି । ଏହାକୁ ନେଇ ସରକାରଙ୍କୁ କଂଗ୍ରେସ ତୀବ୍ର ଭର୍ତ୍ସନା କରିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଯେତେବେଳେ ବି ସ୍ୱତନ୍ତ୍ର ଅଧିବେଶନ ଡକାଯାଏ, ସବୁ ଦଳକୁ ଏଜେଣ୍ଡା ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥାଏ । ଏବଂ ବିରୋଧୀ ଦଳମାନଙ୍କ ସହ ଏକ ବିସ୍ତୃତ ଏଜେଣ୍ଡା ପ୍ରସ୍ତୁତ କରାଯାଇ ଆଲୋଚନା କରାଯାଇଥାଏ । କିନ୍ତୁ ଏଥର ବ୍ୟତିକ୍ରମ ଦେଖିବାକୁ ମିଳିଛି । କଂଗ୍ରେସ ସ୍ୱତନ୍ତ୍ର ଅଧିବେଶନରେ ଭାଗ ନେବ, କିନ୍ତୁ ଲୋକଙ୍କ ସମସ୍ୟା ଉପରେ ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି । ମୋଦୀ ଚାଳିଶା ବା ମୋଦୀଙ୍କ ଗୁଣଗାନ ହେଲେ ଭାଗ ନେବ ନାହିଁ ବୋଲି କଂଗ୍ରେସ କହିଛି ।

Advertisment

ସେପଟେ, ଦେଶର ନାମ ଇଣ୍ଡିଆ ପରିବର୍ତେ ଭାରତ ଲେଖାଯିବ । ଏ ନେଇ ବିତର୍କ ଜାରି ରହିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ ସାମ୍ନାକୁ ଆସିଛି । ନରେନ୍ଦ୍ର ମୋଦୀ ଚଳିତ ମାସ ଏସିଆନ ସମ୍ମିଳନୀରେ ଯୋଗଦେବାକୁ ଇଣ୍ଡୋନେସିଆ ଯିବେ । ଆଉ ତାଙ୍କ ଗସ୍ତ ବାବଦରେ ପିଏମଓ ଜାରି କରିଥିବା ସୂଚୀରେ ଉଲ୍ଲେଖ ରହିଛି ଦ ପ୍ରାଇମ ମିନିଷ୍ଟର ଅଫ୍ ଭାରତ । ବିଜେପି ନେତାମାନେ ଏହି ସୂଚୀକୁ ମଧ୍ୟ ଟ୍ୱିଟ କରି ପରୋକ୍ଷରେ ସମାଲୋଚକକୁ ଜବାବ ଦେବାକୁ ପ୍ରାୟସ କରିଛନ୍ତି । ଜି-୨୦ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ରାତ୍ରୀ ଭୋଜନର ନିମନ୍ତ୍ରଣ କାର୍ଡ ସାମ୍ନାକୁ ଆସିବା ପରେ ଆଗାମୀ ଦିନରେ ଦେଶର ନାମ ଭାରତ ହେବା ନେଇ ଚର୍ଚ୍ଚା ବଢିଛି । ଯାହାକୁ ବିରୋଧୀ କଡା ସମାଲୋଚନା କରିଛନ୍ତି ।