ରୁଷ ୟୁକ୍ରେନ ଯୁଦ୍ଧରେ ନାଟୋକୁ ମିଳିବ ଅଧିକ ଶକ୍ତି । ସ୍ୱିଡେନ ଓ ଫିନଲାଣ୍ଡକୁ ସଦସ୍ୟତା ଦେବା ପାଇଁ ଚାଲିଛି ପ୍ରୟାସ ।

305

ନକ ବ୍ୟୁରୋ: ଋୁଷ-ୟୁକ୍ରେନ ଯୁଦ୍ଧକୁ ୩ମାସ ପୂରିବାକୁ ଯାଉଛି । ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ ଜାରି ରଖିଛି ରୁଷ । ଏହା ଭିତରେ କିନ୍ତୁ ରୁଷକୁ ବଡ ଝଟକା ଲାଗିଲା ପରି ଖବର ସାମ୍ନାକୁ ଆସିଛି । ସ୍ୱିଡେନ ଓ ଫିନଲ୍ୟାଣ୍ଡ ଖୁବ ଶିଘ୍ର ନାଟୋରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏନେଇ ଉଭୟ ଦେଶ ଔପଚାରିକ ଘୋଷଣା ମଧ୍ୟ କରିଛନ୍ତି । ଫିନଲ୍ୟାଣ୍ଡ ରାଷ୍ଟ୍ରପତି ସାଉଲି ନିନିସ୍ତୋ କହିଛନ୍ତି କି ଏହା ଏକ ଐତିହାସିକ ଦିନ । ନୂଆ ଯୁଗର ଆରମ୍ଭ ହେବ । ଚଳିତ ସପ୍ତାହରେ ନାଟୋରେ ସାମିଲ ପ୍ରସ୍ତାବକୁ ମଂଜୁରୀ ମିଳିପାରେ । ସେପଟେ ସ୍ୱିଡେନ ପ୍ରଧାନମନ୍ତ୍ରୀ ମଗଡାଲେନା ଆଣ୍ଡ୍ରସନ କହିଛନ୍ତି ନାଟୋର ସଦସ୍ୟତା ନେଲେ ଦେଶର ସୁରକ୍ଷା ବଢିବ । ଦେଶ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ଏହା ବଡ ପଦକ୍ଷେପ । ପୂର୍ବରୁ ତୁର୍କୀ ଉଭୟ ଦେଶର ସଦସ୍ୟତା ପ୍ରକିୟାକୁ ବିରୋଧ କରୁଥିଲେ ବି ଏବେ ସହମତି ପ୍ରକାଶ କରିିଛି ।

ଗୋଟେ ପଟେ ନାଟୋରେ ସାମିଲକୁ ନେଇ ସ୍ୱିଡେନ଼ ଓ ଫିନଲ୍ୟାଣ୍ଡର ଔପଚାରିକ ଘୋଷଣା ସେପଟେ ନାଟୋ ଚିଫ୍ଙ୍କ ବଡ ବୟାନ ରୁଷ ରାଷ୍ଟ୍ରପତିଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ନାଟୋ ଚିଫ୍ ଜେନ୍ସ ଷ୍ଟୋଟେଲନବର୍ଗ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ସିଧା ଚ୍ୟାଲେଂଜ ଦେଇ କହିଛନ୍ତି କି ଫିନଲ୍ୟାଣ୍ଡ ଓ ସ୍ୱିଡେନଙ୍କୁ ଦିଆଯିବ ଫାଷ୍ଟ ଟ୍ରାକ୍ ସଦସ୍ୟତା । ଫାଷ୍ଟ ଟ୍ରାକ ସଦସ୍ୟତାର ଅର୍ଥ ହେଉଛି ଖୁବ ଶିଘ୍ର ଦୁଇ ଦେଶଙ୍କୁ ନାଟୋର ସଦସ୍ୟତା ମିଳିବ । ଏଥିସହ ପାୱାରଫୁଲ ଲିଡର ପୁଟିନଙ୍କୁ କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି ନାଟୋ ଚିଫ୍ । ନାଟୋ ମ୍ରୁଖ୍ୟ ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ବଡ ବୟାନ ଦେଇଛନ୍ତି, କହିଛନ୍ତି, ଫେଲ ମାରିଛି ପୁଟିନଙ୍କ ରଣନୀତି ଓ ଯୁଦ୍ଧରେ ବିଜୟ ହାସଲ କରିବ ୟୁକ୍ରେନ । ବୋଲି ନାଟୋ ଚିଫ୍ କହିଛନ୍ତି । ସ୍ୱିଡେନ ଓ ଫିନଲ୍ୟାଣ୍ଡର ଏହି ନିଷ୍ପତିକୁ ନେଇ ଖୁସି ପ୍ରକାଶ କରିଛି ୟୁକ୍ରେନ ।ୟୁକ୍ରେନ ରାଷ୍ଟ୍ରପତି ଭୋଲଡମୀର ଜେଲେନସ୍କି କହିଛନ୍ତି କି ଆମ ସାହସ ସାରା ବିଶ୍ୱକୁ ପ୍ରଭାବିତ କରିଛି ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଉଭୟ ଫିନଲ୍ୟାଣ୍ଡ ଓ ସ୍ୱିଡେନର ଦେଶବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏଥିପାଇଁ ସେମାନେ ନାଟୋରେ ସାମିଲ ହେବାକୁ ସରକାରଙ୍କୁ ଚାପ ପକାଉଛନ୍ତି । ସେପଟେ ଫିନଲ୍ୟାଣ୍ଡ ଓ ସ୍ୱିଡେନ ଯଦି ନାଟୋରେ ସାମିଲ ହେବେ ତେବେ ରୁଷ ପାଇଁ ବଡ ବିପଦ ଆସିବ ବୋଲି କୁହାଯାଉଛି ।