କନକ ବ୍ୟୁରୋ : ଆଜି ପ୍ରଥମଥର ପାଇଁ ରାଜ୍ୟରେ ବିଜେପି ବହୁମତ ସହ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂଦେଓ ଶପଥ ନେଇଛନ୍ତି । ଏହାସହ ୮ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୫ ଜଣ ବିଧାୟକ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ ଏହା ଭିତରେ ବଡକଥା ହେଉଛି, ମନ୍ତ୍ରୀମଣ୍ଡଳ ଗଠନ ପୂର୍ବରୁ କିଛି ବିଧାୟକଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ସେମାନଙ୍କୁ କିନ୍ତୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇ ନାହିଁ । ସେମାନଙ୍କ ଭିତରେ ପ୍ରଥମ ନାମ ରହିଛି ଜୟ ନାରାୟଣ ମିଶ୍ରଙ୍କର । ଦଳର ବରିଷ୍ଠ ନେତା, ବିରୋଧୀଦଳରେ ଥିବା ବେଳେ ସରକାରଙ୍କୁ ଜୋରଦାର ଟାର୍ଗେଟ୍ କରିପାରୁଥିବା ନେତାଙ୍କ ଭିତରୁ ଜୟନାରାୟଣ ମିଶ୍ର ଅନ୍ୟତମ । ସେହିଭଳି ବିଜେପିର ଯୁବନେତା ଇରାଶିଷ ଆଚାର୍ଯ୍ୟଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇନାହିଁ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଆଗରେ ଥିବା ଲକ୍ଷ୍ମଣବାଗଙ୍କୁ ମୁଖ୍ୟମନ୍ତ୍ରୀ ପଦ ତ ମିଳିଲା ନାହିଁ ଏହାସହ ତାଙ୍କୁ ମନ୍ତ୍ରୀମଣ୍ଡଳରେ ମଧ୍ୟ ସାମିଲ କରା ନଯିବା ସମସ୍ତଙ୍କୁ ଚକିତ କରିଛି । କାରଣ କଣ୍ଟାବାଞ୍ଜୀ ବିଧାନସଭା କ୍ଷେତ୍ରରୁ ସେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାଜିତ କରି ବେଶ୍ ଚର୍ଚ୍ଚାରେ ଥିଲେ । ଅନ୍ୟପଟେ ବିଜେଡି ଛାଡି ବିଜେପିରେ ଯୋଗ ଦେଇ ବିଧାୟକ ହୋଇଥିବା ଆକାଶ ଦାସନାୟ ଓ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ମନ୍ତ୍ରୀମଣ୍ଡଳରୁ ବାଦ ପଡିଛନ୍ତି । ଅନ୍ୟପଟେ ବିଜେଡିର ବାହୁବଳୀ ନେତା ତଥା ଏବେ ବିଜେପି ଟିକେଟରୁ ଖୋର୍ଦ୍ଦାରୁ ନିର୍ବାଚିତ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି । ଦଳପାଇଁ ଆଗରେ ଠିଆ ହୋଇ ବିରୋଧୀଙ୍କୁ ସାମ୍ନା କରୁଥିବା ପ୍ରଶାନ୍ତ ଜଗଦ୍ଦେବ ଏବେ ନିରାଶ ହୋଇଛନ୍ତି ।

Advertisment