ଏକଜିଟ୍ ପୋଲରେ ବିଜେପିକୁ ମିଳିଲା ବହୁମତ । ଉପରାଷ୍ଟ୍ରପତି କହିଲେ, ଏହା ବାସ୍ତବିକ ଫଳାଫଳ ନୁହେଁ, ୧୯୯୯ପରଠୁ ସତ ହୋଇନି ଅଧିକତର ବୁଥ ବାହୁଡା ମତ

893

କନକ ବ୍ୟୁରୋ: ୨୦୧୯ ମହାସମର ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକଜିଗ ପୋଲ ଆସିଛି ଚମକାଇଦେଲା ଭଳି ରିପୋର୍ଟ । ଗତକାଲି ସନ୍ଧ୍ୟାରେ ପ୍ରକାଶ ପାଇଥିବା ଅଧିକାଂଶ ଏକଜିଟ ପୋଲ ଅନୁସାରେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ରୂପରେ ଫେରିବାକୁ ଯାଉଛନ୍ତି ।

ତେବେ ଗୋଟିଏ ପଟେ ମୋଦୀଙ୍କ କମବ୍ୟାକକୁ ନେଇ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ବଡ ମତ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ସେ କହିଛନ୍ତି କି, ଏଥିରେ ଖୁସି ହେବା ଆଦୌ ଉଚିତ ନୁହେଁ । ଏହା ବାସ୍ତବିକ ଫଳାଫଳ ନୁହେଁ । ଏକଜିଟ ପୋଲ ବାସ୍ତବିକ ଫଳାଫଳ ହୋଇନଥାଏ । ଏହା ସମସ୍ତଙ୍କୁ ବୁଝିବା ଦରକାର । କାହିଁକି ନା ୧୯୯୯ ପରଠାରୁ ଅଧିକତର ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇସାରିଛି ବୋଲି କହିଛନ୍ତି ଭେଙ୍କୟା ନାଇଡୁ ।

ସେ ଆହୁରୀ ମଧ୍ୟ କହିଛନ୍ତି, ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଆତ୍ମବିଶ୍ୱାସ ଜାହିର କରିଥାନ୍ତି । ଯାହାର କୌଣସି ଆଧାର ନଥାଏ । ଏଥିପାଇଁ ୨୩ ତାରିଖ ଯାଏଁ ଅପେକ୍ଷା କରିବାକୁ ହେବ । ଉଭୟ ଦେଶ ଏବଂ ରାଜ୍ୟକୁ ଏକ କୁଶଳ ନେତା ଏବଂ ସ୍ଥିର ସରକାର ଆବଶ୍ୟକତା ରହିଥାଏ । ତେବେ ସେ ଯିଏ ବା ହୁଅନ୍ତୁ । ସମାଜରେ ପରିବର୍ତ୍ତନ ରାଜନୈତିକ ଦଳଙ୍କ ପରିବର୍ତ୍ତନ ସହିତ ହେବା ଉଚିତ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ।

ସବୁ ଏକଜିଟ୍ ପୋଲରେ ଏନଡିଏକୁ ପୂର୍ଣ୍ଣ ବହୁମତ

ଦେଶର ଅନେକ ଟିଭି ଚ୍ୟାନେଲ ଓ ସର୍ଭେକ୍ଷଣ ସଂସ୍ଥା ଯେଉଁ ଏଗଜିଟ୍ ପୋଲ୍ କରିଛନ୍ତି, ତାହା ସ୍ପଷ୍ଟ ଦର୍ଶାଉଛି ଯେ, ପୁଣିଥରେ ବାଜିମାତ୍ କରିବାକୁ ଯାଉଛି ମୋଦି ମ୍ୟାଜିକ । ମାତ୍ର ୫ ମାସ ପୂର୍ବରୁ ତିନିଟି ବଡ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଠାରୁ ପରାଜିତ ହୋଇଥିବା ବିଜେପି, ପୁଣିଥରେ ଲୋକଙ୍କ ବିଶ୍ୱାସ ଭାଜନ ହେବାରେ ସକ୍ଷମ ହୋଇପାରିଛି । ପାକିସ୍ତାନ ବିପକ୍ଷରେ ସର୍ଜିକାଲ ଷ୍ଟ୍ରାଇକ, ସାରାଦେଶରେ ମୋଦିଙ୍କ ଏକ ନୂଆ ଛବି ସୃଷ୍ଟି କଲା । ୨୬-୧୧ ଆକ୍ରମଣ ପରେ କଂଗ୍ରେସ ସରକାର ସମୟରେ ଚୁପ୍ ରହିିଥିବା ଭାରତ, ମୋଦିଙ୍କ ସମୟରେ କିନ୍ତୁ ବୀର ଆଚରଣ ଦେଖାଇଲା । ବୋଧହୁଏ, ଏହା ଦେଶବାସୀଙ୍କ ମୁଡରେ ଏକ ବଡ ପରିବର୍ତନ ଆଣିଲା ।

ଯଦି ଏଗଜିଟ୍ ପୋଲର ସର୍ଭେ ସତ ହୁଏ, ତେବେ ପ୍ରଥମ ଥର ପାଇଁ ଭାରତ ଇତିହାସରେ ଏକ ଅଣକଂଗ୍ରେସ ଦଳ ୫ ବର୍ଷ ପୁରଣ କରି ପୁଣି ଥରେ ଶାସନ କ୍ଷମତାକୁ ଫେରିବ । ଗୁଜୁରାଟରେ ଲଗାତର ତିନି ତିନି ଥର ମୁଖ୍ୟମନ୍ତ୍ରୀ ହେବା ପରେ ୨୦୧୪ ମସିହାରେ ପ୍ରଥମଥର ପାଇଁ ବିଜେପି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିଥିଲା । ଏବଂ ଦଳର ଆଶା ଆକାଂକ୍ଷାକୁ ପୁରଣ କରି ବିଜେପିକୁ ସେହି ସ୍ତରକୁ ନେବାକୁ ସକ୍ଷମ ହୋଇଥିଲେ ମୋଦି । ଆଉ, ପୁଣିଥରେ ଭାରତ ଭଳି ଏକ ଜଟିଳ ଗଣତନ୍ତ୍ରର ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି ।