ହସ୍ପିଟାଲରେ ପଡ଼ିଥିବା ରୋଗୀଙ୍କୁ ବି ଛାଡ଼ିଲେନି ଠକ । ବ୍ଲାକ୍ ଫଙ୍ଗସ୍ ଚିକିତ୍ସା ପାଇଁ ଆବଶ୍ୟକ ଇଂଜେକ୍ସନ ଆଣିଦେବାକୁ କହି ଠକି ନେଲେ ୪୮ ହଜାର ଟଙ୍କା ।

122

କନକ ବ୍ୟୁରୋ: ଡାକ୍ତର ଖାନାରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ରୋଗୀଙ୍କ ଠାରୁ ଠକେଇ । ମହାମାରୀରେ ମହାଠକେଇ । ଏଭଳି ଏକ ଖବର ଆସିଛି ଭୁବନେଶ୍ୱରର ଏମ୍ସ ହସ୍ପିଟାଲରୁ । ଜଗତସିଂହପୁରର ଜଣେ ବ୍ୟକ୍ତି ବ୍ଲାକ୍ ଫଙ୍ଗସରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତାଙ୍କୁ ଏକ ଇଂଜେକସନ ପାଇଁ କହିଥିଲା ହସ୍ପିଟାଲ । ଏହି ଇଂଜେକସନ ଅତ୍ୟନ୍ତ ଜରୁରୀ ଥିଲା । ଭୁବନେଶ୍ୱରରେ ନ ପାଇବା ଫଳରେ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଗୁଗୁଲରେ ସର୍ଚ୍ଚ କରି ଇଂଜେକସନ ଖୋଜିଥିଲେ । କିନ୍ତୁ ଇଂଜେନକସନ ପାଇବେ କଣ, ଓଲଟା ଠକାମିରେ ପଡିଗଲେ । ଜଣେ ବ୍ୟକ୍ତି ଇଂଜେକସନ ଯୋଗାଇବା ନାଁରେ ୪୮ହଜାର ଟଙ୍କା ନେଇଗଲା ଆଉ ତାପରେ ମୋବାଇଲ ବନ୍ଦ କରି ଫେରାର ହୋଇଗଲା । କ’ଣ ଥିଲା ପୂରା ଘଟଣା ପଢ଼ନ୍ତୁ…

ବ୍ଲାକ ଫଙ୍ଗସ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଜୟ ଭୁୟାଁଙ୍କ ସହ ଯାହା ଘଟିଛି, ତାହା କାହା ସହିତ ନ ହେଉ । ଗୋଟିଏ ପଟେ ଏହି ବ୍ୟକ୍ତି ଜଣକ ବ୍ଲାକ ଫଙ୍ଗସ ଭଳି ଏକ ମାରାତ୍ମକ ରୋଗରୁ ଆରୋଗ୍ୟ ହେବା ପାଇଁ ସଂଘର୍ଷ କରୁଛନ୍ତି, ଆଉ ଅନ୍ୟପଟେ ଏମାନଙ୍କ ଉପରେ ଔଷଧ ନାଁରେ ଠକେଇ କରୁଥିବା ଦଲାଲଙ୍କ ନଜର ରହିଛି ।

ଏମ୍ସ ହସ୍ପିଟାଲରେ କହିଲେ, ଏହି ଲିପୋସମାଲ ଇଂଜେକ୍ସନ ବାହାରୁ ଆଣିବା ପାଇଁ, କାରଣ ତାହା ହସ୍ପିଟାଲରେ ମିଳୁ ନାହିଁ । ଏବଂ ଏଭଳି ଅବସ୍ଥାରେ ଏହି ଇଂଜେକ୍ସନ ନିହାତି ଦରକାର । ଆଉ କିଛି ବାଟ ନପାଇ ପରିବାର ଲୋକେ ଗୁଗୁଲରେ ସର୍ଚ କରି ଏହି ଇଂଜେକ୍ସନ କିଣିବା ପାଇଁ ଚେଷ୍ଟା କଲେ । ସେହି ଇଂଜେକସନ ଥିବା ଏକ ସାଇଟ ସହ ସଂପୃକ୍ତ ବ୍ୟକ୍ତିଙ୍କ ସହ କଥାବାର୍ତା ହେଲା । ବ୍ୟକ୍ତି ଜଣକ ୪୮ ହଜାର ଟଙ୍କା ଏହି ଆକାଉଂଟରେ ଜମା କରିବା ପାଇଁ କହିଲେ, ଓ ଏହା ପରେ ଇଂଜେକସନ ଆସିଯିବ ବୋଲି ପ୍ରତିଶ୍ରୁତି ଦେଲେ । କିନ୍ତୁ ଆଉ ଇଂଜେକସନ ଆସିଲା ନାହିଁ ଏବଂ ସେ ବ୍ୟକ୍ତିର ଫୋନ ବି ବନ୍ଦ ହୋଇଗଲା ।

ଠକର ଠିକଣା । ନାଁ ଅରୁଣ କୁମାର ଏବଂ ସେ ତାମିଲନାଡୁର ନେକ୍ସଜେନମେଡ ଫାର୍ମାସୀ ପ୍ରାଇଭେଟ ଲିମିଟେଡର ପ୍ରତିନିଧି କହି ଇଂଜେକ୍ସନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ତେବେ ଜଣେ ବ୍ୟକ୍ତି ଯେତେବେଳେ ରୋଗରେ ପୀଡିତ ଥାଏ, ତା ପାଇଁ ଔଷଧ ଅମୃତ ଭଳି ମୂଲ୍ୟବାନ ହୋଇଯାଏ । କିନ୍ତୁ ଏମିତି ଲୋକ ବି ଥାନ୍ତି, ଯେଉଁମାନେ ଏହାକୁ ସୁଯୋଗ ବୋଲି ଭାବନ୍ତି ଏବଂ ଏମାନଙ୍କୁ ଠକିବା ପାଇଁ ପଛାନ୍ତି ନାହିଁ । ଆଉ ହସ୍ପିଟାଲରେ ଏଭଳି ଅତ୍ୟାବଶ୍ୟକ ଇଂଜେକସନ ଯଦି ମିଳେ ନାହିଁ, ତେବେ ଠକମାନଙ୍କୁ ଏକ ସୁଯୋଗ ମିଳିଯାଏ ।