ପୁଣି ପଦାରେ ପଡିଲା ଜଗତସିଂହପୁର ବିଜେଡି କନ୍ଦଳ ! ବନ୍ଦର ନଗରୀରେ ଗୋଟିଏ ଦିନରେ ଦୁଇ ନେତାଙ୍କ ଦୁଇଟି ସମାନ୍ତରାଳ କାର୍ଯ୍ୟକ୍ରମ

42

କନକ ବ୍ୟୁରୋ: ପୁଣି ଦାମ ବିଷ୍ଣୁ ବିବାଦ । କିଛି ଦିନର ନୀରବତା ପରେ ପୁଣି ମୁହାଁମୁହିଁ ହୋଇଛନ୍ତି ଦୁଇ ନେତା । କେହି କାହାର ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ଖେଳାଇବେ ନାହିଁ ବୋଲି ଉଭୟଙ୍କ ମଧ୍ୟରେ ହୋଇଥିବା ବୁଝାମଣା ପୁଣି ଫସର ଫାଟି ଯାଇଛି । ବନ୍ଦର ନଗରୀ ପାରାଦୀପରେ ଗୋଟିଏ ଦିନରେ ଦୁଇ ନେତା କରିଛନ୍ତି ଦୁଇଟି ସମାନ୍ତରାଳ କାର୍ଯ୍ୟକ୍ରମ ।

ଯାହାକୁ ନେଇ ପଦାରେ ପଡିଛି ଉଭୟଙ୍କ ଭିତରେ ଥିବା ମନୋମାଳିନ୍ୟ । ପାରାଦୀପ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ସହରରେ ମରାଯାଇଥିବା ବ୍ୟାନରରେ ମୁଖ୍ୟମନ୍ତ୍ରୀ ଓ ବିଷ୍ଣଙ୍କ ଫଟୋ ଥିବାବେଳେ ଦାମଙ୍କ ଫଟୋ ନଥିବା କଥାକୁ ସହଜରେ ହଜମ କରିପାରିନଥିଲେ ଦାମ । ଆଉ ସମାନ୍ତରାଳ ଭାବେ ପାରାଦୀପ ଜୟଦେବ ସଦନ ପଡିଆରେ ଆୟୋଜନ କରିଥିଲେ ମୋ ସହର ,ମୋ ଉନ୍ନତି କାର୍ଯ୍ୟକ୍ରମ । ଆଉ ଦାମବାବୁଙ୍କ ଆମନ୍ତ୍ରଣରେ ତାଙ୍କ କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ ଯୋଗ ଦେଇଥିଲେ ।

କିନ୍ତୁ ଅନ୍ୟପଟେ ବିଷ୍ଣ ପାରାଦୀପରେ ଥିଲେ ମଧ୍ୟ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । କୁହାଯାଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେ ଅଟକି ରହିବାକୁ ବାଧ୍ୟ ହୋଇଥିଲେ । ତେବେ ଦାମ ବିଷ୍ଣଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିବା ସହ ତାଙ୍କ ସମର୍ଥକଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ସେପଟେ ଜଣେ ନେତାଙ୍କୁ ନଜଣାଇ ତାଙ୍କ ଅଂଚଳରେ ଆସି ଆଉ ଜଣେ ନେତା କିଛି କରିପାରିବେ ନାହିଁ ବୋଲି ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ପ୍ରଫୁଲ ସାମଲ କହିଛନ୍ତି । ଏନେଇ ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି ।