କନକ ବ୍ୟୁରୋ : ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ଉଭୟ ଶାସକ ଓ ବିରୋଧୀଙ୍କ ହୋ ହାଲ୍ଲା କାରଣରୁ ଉଭୟ ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବି ରହିଛି । ଜୁଲାଇ ୧୮ ତାରିଖରୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ମାତ୍ର ୧୦ ଟି କାର୍ଯ୍ୟଦିବସ ପାରିତ ହୋଇଛି । ହେଲେ କେବେ ଶାସକ ଦଳ ତ କେବେ ବିରୋଧୀ ଦଳଙ୍କ ହଙ୍ଗାମା କାରଣରୁ ୧୨୦ ଘଂଟା ଅଧିବେଶନ ମଧ୍ୟରୁ ମାତ୍ର ୨୬.୮ ଘଂଟା ଚାଲିପାରିଛି । ଲୋକସଭା ଓ ରାଜ୍ୟସଭାରେ ୬୦-୬୦ ଘଂଟା ଅର୍ଥାତ ୧୨୦ ଘଂଟା ଅଧିବେଶନ ହେବାକୁ ଥିଲା । ମାତ୍ର ହୋ ହାଲ୍ଲା କାରଣରୁ ଲୋକସଭାରେ ୧୫.୭ ଘଂଟା ଓ ରାଜ୍ୟସଭାରେ ୧୧.୧ ଅର୍ଥାତ ୨୬.୮ ଘଂଟା କାର୍ଯ୍ୟ ହୋଇଛି ।

Advertisment

କହିରଖୁ କି ଚଳିତ ମୌସୁମୀ ଅଧିବେଶନରେ ସରକାର ୩୨ ଟି ବିଲ ଉପସ୍ଥାପନ କରିବାକୁ ଘୋଷଣା କରିଥିଲେ । ହେଲେ ଏପର୍ଯ୍ୟନ୍ତ ଅଧିବେଶନ ନାମରେ କରଦାତାଙ୍କ ୧୦୦ କୋଟି ଟଙ୍କା ସରକାର ଖର୍ଚ୍ଚ କରି ମାତ୍ର ୨ ଟି ବିଲ୍ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଏହି ଦୁଇଟି ଯାକ ବିଲ୍ ଲୋକସଭାରେ ପାରିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟସଭାରେ କୌଣସି ବିଲ ପାରିତ ହୋଇପାରି ନାହିଁ ।

ସୂଚନା ଥାଉକି ଚଳିତ ଅଧିବେଶନରେ ଉଭୟ ଗୃହରେ କେଉଁ କେଉଁ ପର୍ଯ୍ୟାୟରେ କେତେ ସମୟ କାର୍ଯ୍ୟ ହୋଇଛି । ପ୍ରଶ୍ନକାଳ ପାଇଁ ୪.୭ ଘଂଟା, ବିଧି କାର୍ଯ୍ୟ ପାଇଁ ୧୨.୩ ଘଂଟା, ଅଣ ବିଧି କାର୍ଯ୍ୟ ପାଇଁ ୪.୮ ଘଂଟା, ଅନ୍ୟ କାର୍ଯ୍ୟ ୫.୩ ଘଂଟା । ଏଭଳି ଭାବେ ମୋଟ ୨୬.୮ ଘଂଟା କାର୍ଯ୍ୟ ହୋଇଛି ।