କନକ ବ୍ୟୁରୋ: ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବ । ତେବେ ଏହି ସମୟ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ପାରଦ ୪୦ ଡିଗ୍ରି ଉପରେ ମଧ୍ୟ ରହିବ। ପୁଣି ୩୧ ତାରିଖରୁ ଗ୍ରୀଷ୍ମ ଲହରି ପ୍ରବାହିତ ହେବ । ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
ବିଶେଷକରି ପଶ୍ଚିମ ଓଡ଼ିଶାର କିଛି ରାଜ୍ୟରେ ଖରାର ପ୍ରଖରତା ଅଧିକ ରହିବାର ସମ୍ଭାବନା ଥିବାରୁ ଅଂଶୁଘାତଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ୩୧ ତାରିଖ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍-ୱେଭ୍ ୱାର୍ଣ୍ଣିଂ ଜାରି କରିଛି । କେନ୍ଦ୍ରର ସୂଚନା ମୁତାବକ, ଶନିବାର ଅପରାହ୍ଣରେ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିବାରୁ ସଂଧ୍ୟାରେ ପାଗ ଥଣ୍ଡା ରହିଥିଲା । ଆସନ୍ତା ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଏମିତି କାଳବୈଶାଖୀ ହେବ । ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ଅପରାହ୍ଣରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ଏଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।