ସ୍କେଣ୍ଡେନେବିଆଇ ଦେଶ ନରୱେକୁ ଦୁନିଆର ଉଚ୍ଚ ମାନବ ବିକାଶ ସୁଚକାଙ୍କ ଦେଶରେ ଗଣନା କରାଯାଏ । ନରୱେର ସମୁଦ୍ରୀ ତଟ ବହୁତ କଟିଯାଇଛି । ଏହାକୁ ଫିଓଡର୍ସ କୁହାଯାଏ । ପଶ୍ଚିମ ତଟରେ ଫିଓଡର୍ସ ଲାଇନ୍ ଅଧିକ ଅଛି । ସେଥିପାଇଁ ରାସ୍ତା ନିର୍ମାଣରେ ଅସୁବିଧା ହେଉଛି । ଏହାକୁ ଧ୍ୟାନରେ ରଖି ଏବେ ଦେଶରେ ସମୁଦ୍ର ଭିତରେ ଭାସମାନ ସୁଡଙ୍ଗ ନିର୍ମାଣ କରିବାର ଯୋଜନା କରାଯାଉଛି । ଏହା ଅଧିନରେ ସସପେନ୍ସ ବ୍ରିଜ୍ ଓ ଭାସମାନ ପୋଲ ନିର୍ମାଣ କରାଯିବ । ଏହି ସୁଡଙ୍ଗ ନିର୍ମାଣ କରିବା ଦ୍ୱାରା କ୍ରିଷ୍ଟିୟନସେଣ୍ଡ ଓ ଟ୍ରାନଢ଼ିମ୍ ସହର ମଧ୍ୟରେ ୧୧୦୦ କିମି ଦୂରତା କମିଯିବ । ଏବେ ଯାତ୍ରା କରିବା ପାଇଁ ୨୧ ଘଣ୍ଟା ଲାଗୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସମୁଦ୍ର ଭିତରେ ନିର୍ମାଣ ହେବାକୁ ଥିବା ଏହି ସୁଡଙ୍ଗରେ ୪୦ ଅରବ ଡଲାର(ପାଖାପାଖି ୨.୮ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହେବ । ପିଲର ନିର୍ମାଣ କରିବା ପାଇଁ ସମୁଦ୍ରର ଫୁଟହିଲ ଭିତରେ ୩୯୨ ମିଟର ଗଭୀର ଓ ୨୭ କିମି ଲମ୍ବା ଗାତ ହେବ । ସମୁଦ୍ର ତଳର ୩୦ ମିଟର ନିମ୍ନରେ ଏହି ଭାସମାନ ସୁଡଙ୍ଗ ସ୍ଥାପନ କରାଯିବ । ଯଦି ନିର୍ଦ୍ଧାରିତ ସୀମା ଭିତରେ ନରୱେର ଏହି ସୁଡଙ୍ଗ ନିର୍ମାଣ ହେବାରେ ଯଦି ସଫଳତା ମିଳିଯାଏ, ତେବେ ଏହା ଚୀନ, ଦକ୍ଷିଣ କୋରିଆ ଓ ଇଟାଲିରୁ ବି ଆଗକୁ ବଢ଼ିଯିବ ।
ପ୍ରୋଜେକ୍ଟ ମ୍ୟାନେଜର ୱାଲହିମ୍ ମୁତାବକ, ସୁଡଙ୍ଗ ପାଇଁ ୩ ସସପେନ୍ସ ବ୍ରିଜ୍ ଓ ୫ ଭାସମାନ ପୋଲ ନିର୍ମାଣ କରାଯିବ । ଭାସମାନ ସୁଡଙ୍ଗର ଆଇଡିଆ ନୂଆ ନୁହେଁ । ୧୮୮୨ରେ ବ୍ରିଟିଶ ଜଳ ବାହିନୀର ଆର୍କିଟେକ୍ଟ ଏଡୱାର୍ଡ ରିଡ୍ ଇଂଲିଶ ଚ୍ୟାନେଲରେ ଏମିତି ଏକ ସୁଡଙ୍ଗ ନିର୍ମାଣ କରିବାର ବିଚାର ଉପସ୍ଥାପନା କରିଥିଲେ । କିନ୍ତୁ ଏହା ଉପରେ କାମ ହୋଇପାରିନଥିଲା ।