କନକ ବ୍ୟୁରୋ: ଉତର ଭାରତରେ ବନ୍ୟା ଆଉ ଓଡିଶାରେ ମରୁଡି । ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ଦୀଲ୍ଲୀ ଆଦି ସ୍ଥାନରେ ପ୍ରବଳ ବର୍ଷା ଆଣିଛି ଜଳପ୍ରଳୟ । ଏପଟେ ଓଡିଶାରେ ସାମ୍ନାକୁ ଆସିଛି ସାଂଘାତିକ୍ ରିପୋର୍ଟ । ୧୩ଟି ଜିଲ୍ଲାରେ ଅତ୍ୟଧିକ ନିଅଂଟିଆ ବର୍ଷା ହୋଇଥିବାବେଳେ ୮ଟି ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ଆଗାମୀ ଦିନରେ ଜିଲ୍ଲାରେ ମରୁଡି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଏହାରି ଭିତରେ ପାଣିପାଗ ବିଭାଗ କହିଛି ଆଗାମୀ ଦିନରେ ବଢିପାରେ ବର୍ଷାର ପରିମାଣ ।

Advertisment

ତାସଘର ପରି ଭାଙ୍ଗୁଛି ବିଶାଳ ଅଟାଳିକା । ବନ୍ୟାପାଣିର ସ୍ରୋତରେ ଭାସୁଛି ବିରାଟ ପୋଲ । କେଉଁଠି ରାସ୍ତାଘାଟ ନଦୀ ପାଲଟିଛି ତ ପୁଣି କେଉଁଠି ରାସ୍ତା ଧୋଇ ହେଉଛି । କେଉଁଠି ଜଳବନ୍ଦୀ ଲୋକେ ତ ପୁଣି କେଉଁଠି ରାତି ଅଧରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରୁଛି ଆପଣଙ୍କ ଟିଭି ସ୍କ୍ରିନରେ କିଛି ଦୃଶ୍ୟ ବୟାନ କରୁଛି ଉତର ଭାରତରେ ବନ୍ୟା ସ୍ଥିତି କେତେ ଭୟଙ୍କର ରହିଛି ।

ହିମାଚଳ ପ୍ରଦେଶରେ କେଉଁଟା ରାସ୍ତା କେଉଁଠି ରହିଛି ନଦୀ, ସେକଥା ଜଣାପଡୁନି । ସହର ଭିତରେ ପ୍ରବଳ ସ୍ରୋତରେ ବୋହୁଛି ବନ୍ୟା ପାଣି ଜମ୍ମୁକଶ୍ମୀରରେ ପ୍ରବଳ ବର୍ଷା ବନ୍ୟା ସମସ୍ୟା ଆଣିଛି ।କିଛି ଦିନର ବର୍ଷା ପାହାଡିଆ ରାଜ୍ୟମାନଙ୍କୁ ସବୁଠୁ ଅଧିକ ଘାଇଲା କରିଛି । ଦିଲ୍ଲୀ, ମୁମ୍ବାଇ ପରି ମେଟ୍ରୋ ସିଟିରେ ମଧ୍ୟ ସ୍ଥିତି ବିଗାଡିଛି ବର୍ଷା । ଆପାଟମେଂଟ ତଳେ ଚାଲୁଛି ଡଙ୍ଗା । ଏନଡଆରଏଫ ଟିମ ଉଦ୍ଧାର କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣୁଛି । ଦିଲ୍ଲୀରେ ଏବର୍ଷର ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗିଛି । ଆଉ ହିମାଚଳ ଓ ଉତରାଖଣ୍ଡରେ ଆବଶ୍ୟକତାଠାରୁ ରେକର୍ଡ ବର୍ଷା ହୋଇଛି । ଫଳରେ ଦେଖାଦେଇଛି ଜଳପ୍ରଳୟ ।

ଉତର ଭାରତରେ ଜଳପ୍ରଳୟ ଦେଖାଦେଇଥିବାବେଳେ ଏବେ ବି ବର୍ଷା ପାଇଁ ଚାତକ ଭଳି ଚାହିଁରହିଛନ୍ତି ରାଜ୍ୟର ଚାଷୀ । ୧୩ଟି ଜିଲ୍ଲାରେ ଅତ୍ୟଧିକ ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ୫୫ରୁ ୪୫ ପ୍ରତିଶତ ବର୍ଷା କମ୍ ରେକର୍ଡ କରାଯାଇଛି । ବୌଦ୍ଧ, ସୋନପୁର, ଜଗତସିଂହପୁର, ଯାଜପୁର, କଟକ, ବଲାଙ୍ଗୀର, କନ୍ଧମାଳ, ଗଂଜାମ, ରାୟଗଡା ଓ କେନ୍ଦ୍ରାପଡାରେ ଅତ୍ୟଧିକ ନିଅଂଟିଆ ବର୍ଷା ହୋଇଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲାରେ ସ୍ଥିତି ସାଂଘାତିକ୍ ରହିଛି । ସ୍ୱାଭାବିକ୍ ଠାରୁ ୬୬ ପ୍ରତିଶତ କମ୍ ବର୍ଷା ହୋଇଛି । ସେହିପରି ୮ଟି ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ ହୋଇଛି । କୋରାପୁଟ୍, ଭଦ୍ରକ, କେନ୍ଦୁଝର, ନୟାଗଡ, ଖୋର୍ଦ୍ଧା, ବାଲେଶ୍ୱର, ଗଜପତି, ନୂଆପଡାରେ ଏଭଳି ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ସେପଟେ ନିଅଂଟିଆ ବର୍ଷା ନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ସଜାଗ କରିଛି କୃଷି ବିଭାଗ । ଚାଷୀଙ୍କ ପାଇଁ କଂଟିଜେନ୍ସି ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ପାଣିପାଗ ବିଭାଗ କହିଛି, ଆଗକୁ ବର୍ଷାର ପରିମାଣ ବଢିବ ।

କମ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜମି ଶୁଖିଲା ପଡିଛି । ବର୍ଷା ଅଭାବରୁ ସାଂଘାତିକ୍ ସ୍ଥିତି ସୃଷ୍ଟି କଲାଣି । ନିଅଂଟିଆ ବର୍ଷା ଚାଷୀକୂଳଙ୍କ ଉପରେ ସାଂଘାତିକ୍ ପ୍ରଭାବ ପତାଇଛି ।ଆଗାମୀ କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ମରୁଡି ବି ଦେଖାଦେବା ଆଶଙ୍କା ପ୍ରକାଶ ପାଇଛି ।