ବାତ୍ୟା ଚାଲିଯିବା ପରେ ଘର ସଜାଡ଼ୁଛି ଉତ୍ତର ଓଡ଼ିଶା : ବାଲେଶ୍ୱର ବାହାନଗାରେ ସର୍ବାଧିକ ବିପର୍ଯ୍ୟୟ କରିଛି ୟାସ୍; ଏବେ ଜୋରଦାର ହେଉଛି ଉଦ୍ଧାର ଓ ରିଲିଫ କାମ

138

କନକ ବ୍ୟୁରୋ : ବାତ୍ୟା ଚାଲିଯିବା ପରେ ଏବେ ରିଲିଫ ଓ ଉଦ୍ଧାର କାମକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । ବାଲେଶ୍ୱର ଜିଲ୍ଲାର ବାହାନଗା ଅଂଚଳରେ ବାତ୍ୟା ସାୟ ଲ୍ୟାଣ୍ଡଫଲ କରିଥିବାରୁ ଏହିଠାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ବଡ ବଡ ଗଛସବୁ ଉପୁଡି ପଡିବା ସହ ବିଦ୍ୟୁତ ଖୁଂଟ ଭାଙ୍ଗି ପଡିଛି । ଗଛପଡି କଚ୍ଚା ଘରସବୁ ନଷ୍ଟ ହୋଇଯାଇଛି ।

ସେହିପରି ଜିଲ୍ଲାର ପ୍ରାୟ ୮୬ଟି ଗାଁରେ ସମୁଦ୍ର ପାଣି ପଶି ଯାଇଥିବାବେଳେ ଏବେ ବର୍ଷା କମିବା ପରେ ଧିରେଧିରେ ସ୍ଥିତି ସ୍ୱାଭାବି ହେବାରେ ଲାଗିଛି । ଅନ୍ୟପଟେ ଅଗ୍ନିଶମ, ଏନଡିଆରଏଫ ଏବଂ ଓଡ୍ରାଫ ଟିମ୍ ଗଛକାଟି ରାସ୍ତା ସଫା କରିବାରେ ଲାଗିଛନ୍ତି ।

ଅନ୍ୟପକ୍ଷରେ ବାତ୍ୟା ୟାସ ପ୍ରଭାବରେ ଦେବଗଡ ଜିଲ୍ଲାରେ ଗତକାଲି ପୂର୍ବାହ୍ନରୁ ବର୍ଷା ସହ ପବନ ବୋହୁଥିବା ଦେଖିବାକୁ ମିଳିଛି । ଗତକାଲି ପୂର୍ବହ୍ନରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ହାଲିକା ପବନ ବୋହିବା ସହ ଝିପିଝିପ ବର୍ଷା ଲାଗି ରହିଛି । ଲାଗି ରହିଥିବା ବର୍ଷା ପବନ ପୈାରଂଚଳର ୬ ନଂ ୱାର୍ଡରେ ବାସମତୀ ମୁଖୀଙ୍କ ଘର ଉପରେ ଗଛ ଭାଙ୍ଗି ପଡ଼ିଯାଇଥିଲା ।

ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ଆଜି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଚିଂ ଗଛକାଟି ସଫା କରୁଥିବା ଦେଖିବାକୁ ମିଳିଛି । ସେହିପରି ୱାର୍ଡ ନଂ ୮ ଗୋବିନ୍ଦପୁର ବସ୍ତିର ରଜନୀକାନ୍ତ ମୁଣ୍ଡାଙ୍କ ଘର ଛାପର ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଗତକାଲି ବର୍ଷାଓ ପବନ ର ପ୍ରଭାବରେ ଜିଲ୍ଲାରେ ବିଦ୍ୟୁତ ସରବାରହ ବ୍ୟାହର ହୋଇଥିବା ଦେଖିବାକୁ ମିଳିଛି ।