କିଛି ଘଣ୍ଟା ପୂର୍ବରୁ ହ୍ଵାଇଟ ହାଉସ ଉତ୍ତର କୋରିଆ ଉପରେ ଅଭିଯୋଗ କରିଥିଲା ଯେ ୟୁକ୍ରେନ ଆକ୍ରମଣରେ ରୁଷ, ଉତ୍ତର କୋରିଆରୁ ପଠାଯାଇଥିବା କ୍ଷେପଣାସ୍ତ୍ର ବ୍ୟବହାର କରିଛି । ଏହି ବିବୃତ୍ତି ପରେ ତୁରନ୍ତ ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ୨୦୦ ରୁ ଅଧିକ ଗୋଳା ନିକ୍ଷେପ କରିଛି । ଦକ୍ଷିଣ କୋରିଆ କହିଛି ଯେ ଉତ୍ତର କୋରିଆ ୨୦୧୮ ସାମରିକ ଚୁକ୍ତିନାମାକୁ ଉଲ୍ଲଂଘନ କରି ସେମାନଙ୍କ ବିବାଦୀୟ ପଶ୍ଚିମ ସାମୁଦ୍ରିକ ସୀମାର ଉତ୍ତରରେ ୨୦୦ ରୁ ଅଧିକ ଗୋଳା ନିକ୍ଷେପ କରିଛି ।
ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ । ଅନେକ ଶାନ୍ତି ଚୁକ୍ତି ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ଏବେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି । ଯେଉଁଠାରେ ଉତ୍ତର କୋରିଆ ଦକ୍ଷିଣ କୋରିଆ ସୀମା ନିକଟରେ ୨୦୦ ରୁ ଅଧିକ ଗୋଳା ନିକ୍ଷେପ କରିଛି । ସାରା ବିଶ୍ବ ଏବେ ଦୁଇଟି ଯୁଦ୍ଧର ପରିଣାମ ଭୋଗୁଛି । ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ହାମାସ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଏହା ଶେଷ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ଏଭଳି ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ନୀରବ ରହିଥିବା ଉତ୍ତର କୋରିଆ ମଧ୍ୟ ନିଜର ବୃହତ୍ତମ ଶତ୍ରୁ ଦକ୍ଷିଣ କୋରିଆକୁ ଆଖି ଦେଖେଇବା ଆରମ୍ଭ କରିଦେଇଛି ।
ଦକ୍ଷିଣ କୋରିଆ ଶୁକ୍ରବାର ଦିନ ଉତ୍ତର କୋରିଆ ସୀମା ନିକଟ ୟୋନପିଓଙ୍ଗ ଦ୍ୱୀପର ବାସିନ୍ଦାଙ୍କୁ ଏକ ଥଇଥାନ ବିଜ୍ଞପ୍ତି ଜାରି କରି କହିଛି ଯେ ଦକ୍ଷିଣ କୋରିଆ ସୈନ୍ୟମାନେ ଏହି ଅଞ୍ଚଳରେ ଯୁଦ୍ଧ ଅଭ୍ୟାସ କରିବେ। ଏହି ସମୟରେ କିଛି ଘଣ୍ଟା ପୂର୍ବରୁ ହ୍ଵାଇଟ ହାଉସ ଉତ୍ତର କୋରିଆ ଉପରେ ଅଭିଯୋଗ କରିଥିଲା ଯେ ୟୁକ୍ରେନ ଆକ୍ରମଣରେ ରୁଷ ଉତ୍ତର କୋରିଆରୁ ପଠାଯାଇଥିବା କ୍ଷେପଣାସ୍ତ୍ରକୁ ମଧ୍ୟ ବ୍ୟବହାର କରିଛି । ହ୍ଵାଇଟ ହାଉସର ମୁଖପାତ୍ର ଜନ୍ କିର୍ବିଙ୍କ ଏହି ବିବୃତ୍ତି ପରେ ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ୨୦୦ ରୁ ଅଧିକ ଗୁଳି ଚଳାଇଥିଲା । ତେବେ ଦକ୍ଷିଣ କୋରିଆର କୌଣସି କ୍ଷୟକ୍ଷତି ହୋଇ ନାହିଁ ଏବଂ ଗୋଳାଗୁଡିକ ଉତ୍ତର ସୀମା ରେଖା (NLL) ର ଉତ୍ତରରେ ପଡିଛି, ଯାହା ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୀମା ଅଟେ ।
ଆଉ ଏକ ଯୁଦ୍ଧର ସମ୍ଭାବନା କି ?
ଦକ୍ଷିଣ କୋରିଆର ଜଏଣ୍ଟ ଚିଫ ଅଫ ଷ୍ଟାଫ କହିଛନ୍ତି ଯେ ଉତ୍ତର କୋରିଆ ସେମାନଙ୍କ ବିବାଦୀୟ ପଶ୍ଚିମ ସାମୁଦ୍ରିକ ସୀମାର ଉତ୍ତରରେ ୨୦୦ ରାଉଣ୍ଡ ଗୁଳି ଚଳାଇ ୨୦୧୮ ସାମରିକ ଚୁକ୍ତିନାମାକୁ ଉଲ୍ଲଂଘନ କରିଛି । ୟୋନପିଓଙ୍ଗ ଦ୍ୱୀପ ନିକଟରେ ଏହି ଗୋଳାଗୁଡ଼ିକ ଚଳାଇଥିଲା । ଦକ୍ଷିଣ କୋରିଆ ଉତ୍ତର କୋରିଆର ଏହି ଯୁଦ୍ଧବ୍ୟାୟାମକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛି । ତେବେ ଏହି ବ୍ୟାୟାମରେ କେହି ଆହତ ହୋଇନାହାଁନ୍ତି । ନିକଟସ୍ଥ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି ।
ଦୁଇ ଦେଶ ମଧ୍ୟରେ ଶତ୍ରୁତା କାହାଠାରୁ ଲୁଚି ନାହିଁ । ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ଭୟ ସୃଷ୍ଟି ହୋଇଛି ଯେ ଆଉ ଏକ ଯୁଦ୍ଧ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହି ବିବାଦର କାରଣ କ’ଣ? ଗତ ୭୭ ବର୍ଷ ମଧ୍ୟରେ ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଶତ୍ରୁତା ସର୍ବଦା ଚାଲିଆସୁଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେତେବେଳେ କୋରିଆ ଜାପାନ ନିୟନ୍ତ୍ରଣରୁ ମୁକ୍ତ ହେଲା, ସେତେବେଳେ ଏହା ଆମେରିକାର ରାଜନୈତିକ କୋଶଳ ଏବଂ ସୋଭିଏତ୍ ୟୁନିଅନ୍ ମଧ୍ୟରେ ଫସିଗଲା । ଏହି କାରଣରୁ ଏହା ୧୯୪୮ ରେ ଏମାନେ ଦୁଇଟି ଦେଶରେ ବିଭକ୍ତ ହୋଇଥିଲେ । ୧୯୫୦ ମସିହାରେ ଏହି ଦୁଇଦେଶ ମଧ୍ୟରେ ଏକ ତୀବ୍ର ଯୁଦ୍ଧ ହୋଇଥିଲା, କିନ୍ତୁ ଏହା ପରେ ମଧ୍ୟ ବିବାଦ ସମାପ୍ତ ହେବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ ।