କନକ ବ୍ୟୁରୋ : ଆମେରିକାର ବାରମ୍ବାର ଚେତାବନୀ ପରେ ଉତ୍ତରକୋରିଆ ପରମାଣୁ ବୋମା ପରୀକ୍ଷଣ କରିବାରୁ ନିବୃତ ରହୁନାହିଁ । ଏପରିକି ଅଳ୍ପ କିଛିଦିନ ପୂର୍ବେ ହାଇଡ୍ରୋଜେନ ବମ ପରୀକ୍ଷଣ କରି ପୂରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା । ଏହି ପରୀକ୍ଷଣ ପରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଲାଗି ରହିଥିବା ବିବାଦ ଆହୁରି ଜଟିଳ ହୋଇଯାଇଥିଲା । ଏପରିକି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଉତ୍ତର କୋରିଆ ବିରୋଧରେ ଜାତିସଂଘ କଟକଣା ଲାଗୁ କରିବା ଉଚିତ ବୋଲି ପ୍ରସ୍ତାବ ଦେଇଛି ଆମେରିକା । ଏ ଘଟଣା ଜାଣିବା ପରେ ଆମେରିକାକୁ ଧ୍ୱଂସ କରି ପାଉଁଶ କରିଦେବାକୁ ଧମକ ଦେଇଛି ଉତ୍ତର କୋରିଆ ।
ଉତ୍ତର କୋରିଆର ଏକ ଏଜେନ୍ସି ଅନୁଯାୟୀ, ପରମାଣୁ ଆକ୍ରମଣ କରି ଆମେରିକାକୁ ପାଉଁଶ ଓ ଧୂଆଁ କରିଦେବାକୁ ଧମକ ଦେଇଛି ଉତ୍ତରକୋରିଆ । ତା ଛଡା ସହଯୋଗୀ ଜାପାନକୁ ମଧ୍ୟ ପରମାଣୁ ଆକ୍ରମଣ ଦ୍ୱାରା ସମୁଦ୍ରରେ ବୁଡାଇଦେବାକୁ ଚେତାବନୀ ଦେଇଛି ନର୍ଥ କୋରିଆ । ଉତ୍ତର କୋରିଆର କୋରିଆ ଏସିଆ-ପେସିଫିକ୍ ପିସ୍ କମିଟିର ଜଣେ ମୁଖପାତ୍ର ଏହାକୁ ଘୃଣ୍ୟ କଟକଣା ପ୍ରସ୍ତାବ ଏବଂ ଏହା ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡ଼ିକ ଉପରେ ପ୍ରତିଶୋଧାତ୍ମକ ମନୋଭାବକୁ କଠୋର କରିବ ବୋଲି କହିଛନ୍ତି। ଏପରିକି କିଛି ରାଷ୍ଟ୍ର ଆମେରିକା ଠାରୁ ଲାଞ୍ଚ ନେଇ ବା ଆମେରିକାକୁ ଡରିଯାଇ ଜାତିସଂଘରେ ଦିଆଯାଇଥିବା ପ୍ରସ୍ତାବ ଉପରେ ସହମତି ଦେଇଛନ୍ତି ।
ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କେସିଏନଏ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଉତ୍ତରକୋରିଆର ଏକ ସରକାରୀ କମିଟି ଅନୁଯାୟୀ, ଜୁଚେ ପରମାଣୁ ବୋମା ପକାଇ ଜାପାନକୁ ସମୁଦ୍ରରେ ମିଶାଇଦେବା ଉଚିତ୍ । କାରଣ ଜାପାନ ବାରମ୍ବାର ଆମେରିକା କଥାରେ ପରିଚାଳିତ ହେଉଥିବାରୁ ଏଭଳି କରିବା ଆବଶ୍ୟକ । ସେପ୍ଟେମ୍ବର ୩ ତାରିଖରେ ଉତ୍ତର କୋରିଆ ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା ପରୀକ୍ଷଣ କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି । ପ୍ରତିଦିନ ବୟାନବାଜି ଦ୍ୱାରା ଯୁଦ୍ଧର ଧମକ ଦେଉଛନ୍ତି ଉଭୟ ଦେଶ ।
ବୟନ ବ୍ୟବସାୟ ନିଷିଦ୍ଧ କରିବା ଠାରୁ ଆରମ୍ଭ କରି ତୈଳ ଆମଦାନି ନିୟନ୍ତ୍ରଣ କରିବା ଭଳି କଠୋର କଟକଣା ଆଦି ଆଠ ପ୍ରକାରର କଟକଣା ଉତ୍ତର କୋରିଆ ଉପରେ ଲାଗୁକରିବାକୁ ସୋମବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିଲା। ୧୫ ସଦସ୍ୟ ବିଶିଷ୍ଟ ଏହି ପରିଷଦରେ ଉତ୍ତର କୋରିଆ ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ପାରିତ ହୋଇଥିଲା । ଏହାପରେ ଆମେରିକାକୁ ବୋମା ପକାଇ ଧ୍ୱଂସସ୍ତୁପରେ ପରିଣତ କରିବାକୁ ଉତ୍ତର କୋରିଆ ଧମକ ଦେଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ଉତ୍ତର କୋରିଆ କିଛିଦିନ ପୂର୍ବେ ହାଇଡ୍ରୋଜେନ ବମ ପରୀକ୍ଷଣ କରିଥିଲା । ତା ଛଡା ପୁଣିଥରେ ଆଉ ଏକ ପରମାଣୁ ପରୀକ୍ଷଣ କରିପାରେ ଉତ୍ତର କୋରିଆ । ତେବେ ଆର୍ନ୍ତଜାତୀୟ କଟକଣାକୁ ବେଖାତିର କରି ଉତ୍ତର କୋରିଆର ପରମାଣୁ ପରୀକ୍ଷଣକୁ ସହଜରେ ହଜମ କରି ପାରୁନାହିଁ ଆମେରିକା । ତେଣୁ ଜାତିସଂଘରେ ଉତ୍ତର କୋରିଆ ବିରୋଧରେ କଟକଣା ପ୍ରସ୍ତାବ ଆଣିଛି ଆମେରିକା ।