ତାଗିଦ ପରେ ବି ମାନୁନି ଉତ୍ତର କୋରିଆ: ପରୀକ୍ଷା କଲା ବିମାନ ବିଧ୍ୱଂସ୍ତି କ୍ଷେପଣାସ୍ତ୍ର

145

କନକ ବ୍ୟୁରୋ: ଦେଶରେ ଖାଦ୍ୟାଭାବ ଉକ୍ରଟ ହେବାରେ ଲାଗିଛି । ହେଲେ ଏନେଇ ରାଷ୍ଟ୍ରମୁଖ୍ୟଙ୍କ ନିଘାନାହିଁ । ବିଭିନ୍ନ ରାଷ୍ଟ୍ରର ବାରଣ ପରେ ବି ଗୋଟେ ପରେ ଗୋଟେ କ୍ଷେପଣାସ୍ତ୍ର ଓ ପରମାଣୁ ଅସ୍ତ୍ର ପରୀକ୍ଷା କରିବାରେ ଲାଗିଛି ଉତ୍ତର କୋରିଆ । ଗୁରୁବାର ଉତ୍ତର କୋରିଆ ଗୋଟାଏ ନବ ବିକଶିତ ଏବଂ ଅତି ଆଶ୍ଚର୍ଯ୍ୟଜନକ ଲଢୁଆବିମାନ ବିଧ୍ବଂସୀ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି। ଏହି କ୍ଷେପଣାସ୍ତ୍ରରେ ‘ଟ୍ବିନ୍‌ ରଡର୍‌ କଣ୍ଟ୍ରୋଲ୍‌’ ଏବଂ ‘ଇମ୍ପଲ୍‌ସ୍‌ ଫ୍ଲାଇଟ୍‌ ଇଞ୍ଜିନ୍‌’ ଭଳି ନୂତନ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇଛି।

କ୍ଷେପଣାସ୍ତ୍ର ପରୀକ୍ଷା ସମୟରେ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଉପସ୍ଥିତ ଥିବା ପରି ଜଣାପଡୁ ନ ଥିଲା। କିନ୍ତୁ, ଶାସକ ‘ୱାର୍କର୍ସ ପାର୍ଟି’ର ଅନ୍ୟତମ କ୍ଷମତାଶାଳୀ ସଦସ୍ୟ ପାକ୍‌ ଜୋଙ୍ଗ୍‌ ଚୋନ୍‌ ଉପସ୍ଥିତ ଥିବା କୁହାଯାଉଛି।ଗତ ମଙ୍ଗଳବାର ଦିନ ଗୋଟାଏ ଅଦୃଶ୍ୟ ‘ହାଇପର୍‌ସୋନିକ୍‌ ମିସାଇଲ୍‌’ ଉତ୍‌କ୍ଷେପଣ କରିବା ପରେ ଏହା ଥିଲା ଚଳିତ ସପ୍ତାହରେ ଉତ୍ତର କୋରିଆ କରିଥିବା ଦ୍ବିତୀୟ ଅଜ୍ଞାତ ଅସ୍ତ୍ର। ଏହା ବ୍ୟତିରେକେ, ଗତ ଅଳ୍ପ କେତେ ସପ୍ତାହ ମଧ୍ୟରେ ଉତ୍ତର କୋରିଆ କେତେଗୁଡ଼ିଏ ଆଣବିକ ଆସ୍ତ୍ରଶସ୍ତ୍ର ବହନ କରିବାର କ୍ଷମତା ଥିବା ‘ମିସାଇଲ୍‌’ ଓ ‘କ୍ରୁଜ୍‌ ମିସାଇଲ୍‌’ ପରୀକ୍ଷା କରିଛି।

ଉତ୍ତର କୋରିଆର ସଦ୍ୟତମ ଅସ୍ତ୍ରଶସ୍ତ୍ର ପରୀକ୍ଷା ବିଷୟରେ ଆଲୋଚନା ପାଇଁ ଜାତିସଂଘ ସୁରକ୍ଷା ପରିଷଦ୍‌ ଶୁକ୍ରବାର ଦିନ ରୁଦ୍ଧଦ୍ବାର ବା କବାଟକୀଳା ବୈଠକ ଆୟୋଜନ କରିଥିଲା। ଏହାଛଡ଼ା, ଉତ୍ତର କୋରିଆ ଉତ୍‌କ୍ଷେପଣ କରିଥିବା ‌କ୍ଷେପଣାସ୍ତ୍ରଗୁଡ଼ିକର ସମୀକ୍ଷା କରୁଥିବା କଥା ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା କହିଛି।