କନକ ବ୍ୟୁରୋ : ଅନ୍ତର୍ଜାତୀୟ ସମୁଦାୟର ଚେତାବନୀକୁ ବେଖାତିର କରି ପରମାଣୁ ବୋମା ପରୀକ୍ଷଣ କରିଥିବା ନର୍ଥ କୋରିଆ କ୍ରମେ ଯୁଦ୍ଧମୁହାଁ ହେଉଛି । ଏହି ପ୍ରସଙ୍ଗରେ ନର୍ଥ କୋରିଆ ପୁଣି ଏକ ଆନ୍ତ-ମହାଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ସମ୍ଭାବନା ଥିବା କହିଛି ପଡ଼ୋଶୀ ଦେଶ ସାଉଥ୍ କୋରିଆ । ଯାହା ଚିନ୍ତାରେ ପକାଇଛି ବିଶ୍ୱ ସମୁଦାୟକୁ । ତେବେ ନର୍ଥ କୋରିଆକୁ ପାନେ ଚଖାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆମେରିକା । ଉତ୍ତର କୋରିଆର ମିସାଇଲ ପରୀକ୍ଷଣ ପରେ ଦକ୍ଷିଣ କୋରିଆ ସହ ମିଶି ଆମେରିକା ଲାଇଭ୍ ଫାୟାର୍ ଡ୍ରିଲ୍ ଆରମ୍ଭ କରିଛି । ତା ଛଡା ଉତ୍ତର କୋରିଆକୁ ପ୍ରତିହତ କରିବା ପାଇଁ ଦକ୍ଷିଣ କୋରିଆକୁ ସାମରିକ ସହାୟତା ଦେବାକୁ ଆଗେଇ ଆସିଛି ଆମେରିକା ।
ଉତ୍ତର କୋରିଆ ୬ଷ୍ଠ ଥର ପାଇଁ ହାଇଡ୍ରୋଜେନ ବୋମା ପରୀକ୍ଷଣ କରିବା ପରେ ସାରା ବିଶ୍ୱ ଏବେ ଚିନ୍ତାରେ । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ବାରମ୍ବାର ପରମାଣୁ ପରୀକ୍ଷଣ କରୁଥିବା ବେଳେ କିମ୍ ଜଙ୍ଗ ଉନ୍ ଯୁଦ୍ଧ ମନୋବୃତି ଏବଂ ଆମେରିକାକୁ ଧମକ ଆଗାମୀ ଦିନରେ ଉତ୍ତର କୋରିଆ ସହ ବିଶ୍ୱବାସୀଙ୍କୁ ବିପଦରେ ପକାଇବା ସହ ବିଶ୍ୱବଜାରରେ ଆର୍ଥିକ କାରବାର ଉପରେ କ୍ଷତି ପହଁଚାଇପାରେ । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଉତ୍ତର କୋରିଆ ସହ ଯେଉଁ ଦେଶ ସମ୍ପର୍କ ରଖିବ ଆମେରିକା ତାହା ସହ ସବୁ ସଂପର୍କ କାଟିଦେବ ।
ଏହାକୁ ଦୃଷ୍ଟିରେ ରଖି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଭବିଷ୍ୟବାଣୀ କରି କହିଛନ୍ତି ଉତ୍ତର କୋରିଆ ପଛେ ଘାସ ଖାଇବ କ୍ଷେପଣାସ୍ତ୍ର ପରୀକ୍ଷଣରୁ ଓହରିବ ନାହିଁ । ତେଣୁ ଉତ୍ତର କୋରିଆ ଉପରେ ପ୍ରତିବନ୍ଧ ଲଗାଇବା ବୃଥା । ଏକଥା ଯେଉଁ ପରିସ୍ତିତିରେ ପୁଟିନ କହିଥାନ୍ତୁ ନା କାହିଁକି ଏହାକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତପ୍ରକାଶ କରୁଛନ୍ତି । କେବଳ ସେତିକି ନୁହେଁ ପ୍ରଥମ ଥର ପାଇଁ ଭାରତ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି । ଉତ୍ତର କୋରିଆ ବିଶ୍ୱ ପାଇଁ ବିପଦ ହୋଇଥିବା ବେଳେ ଭାରତ ପାଇଁ ମଧ୍ୟ ବିପଦ ଥିବା ପ୍ରକାଶ କରିଛି ।
ଉତ୍ତର କୋରିଆର ଦିନକୁ ଦିନ ଯୁଦ୍ଧାସ୍ତ୍ର କ୍ଷମତା ଯେଉଁଭଳି ଭାବେ ବୃଦ୍ଧି କରୁଛି ଏବଂ ମିଳିତ ଜାତିସଂଘ କଥା ଶୁଣୁନି କି ଆମେରିକା ରାଷ୍ଟ୍ରପତିଙ୍କ ଧମକକୁ ଖାତିର କରୁନି ତାହା ଫଳସ୍ୱରୁପ ଉତ୍ତର କୋରିଆ ଉପରେ ଅଧିକ ଆର୍ଥିକ ପ୍ରତିବନ୍ଧ ଲଗାଇବାକୁ ଆମେରିକା ଜିଦ୍ ଧରିଛି । ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା ରାଷ୍ଟ୍ରଦୂତ ନିକ୍କି ହେଲ୍ଲି ଏଭଳି କଠୋର ପ୍ରସ୍ତାବ ଆଣିଛନ୍ତି । ଏଭଳି ପ୍ରସ୍ତାବ ଆସିଲେ ଉତ୍ତର କୋରିଆ ସହ ବ୍ୟାପାର କରୁଥିବା ଦେଶମାନେ ବିଶେଷ କ୍ଷତି ସହିବେ । ଏଥିରେ ଚୀନ ସର୍ବାଧିକ କ୍ଷତି ସହିବାକୁ ଥିବା ବେଳେ ଏହାପରେ ଦ୍ୱିତୀୟ ଦେଶଭାବେ ଭାରତ ଏବଂ ଋଷ ମଧ୍ୟ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ କ୍ଷତି ସହିବେ ।
ଏଭଳି ପରିସ୍ଥିତି ଅଗଷ୍ଟ ୨୯ ତାରିଖରେ ଉତ୍ତର କୋରିଆର ଶକ୍ତିଶାଳୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ହାଇଡ୍ରୋଜେନ୍ ବୋମା ପରୀକ୍ଷଣ ପରେ ଦେଖାଦେଇଛି । ଏଭଳି ବୋମା ପରୀକ୍ଷଣ ପରେ ଦକ୍ଷିଣ କୋରିଆ, ଜାପାନ ଓ ଆମେରିକା ଆଖିରେ ନିଦ ନାହିଁ । ପ୍ରତିଦିନ ଏହି ଦେଶମାନେ ଉତ୍ତର କୋରିଆକୁ ଧମକ ଦେଉଛନ୍ତି । ଉତ୍ତର କୋରିଆ ମଧ୍ୟ ଚୀନ , ଋଷ ବଳରେ ଆମେରିକାକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଉଛି । ସେପଟେ ଜାତିସଂଘର ସୁରକ୍ଷା ପରିଷଦରେ ଉତ୍ତର କୋରିଆ ଉପରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଆମେରିକା ସହ ଜାପାନ, ଜର୍ମାନି, ବ୍ରିଟେନ, ଫ୍ରାନସ, ଇଟାଲି, ଦକ୍ଷିଣ କୋରିଆ ମଧ୍ୟ ଦାବି କରୁଛନ୍ତି ।
ଏପରିକି ସୁରକ୍ଷା ପରିଷଦର ଜରୁରିକାଳୀନ ବୈଠକ ଡାକିବା ପାଇଁ ଦାବି କରୁଛି ଏହି ମିତ୍ର ଦେଶମାନେ କିନ୍ତୁ ଚୀନ ଓ ଋଷ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ କରୁଛନ୍ତି । ଯୁଦ୍ଧକୁ କେବେ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଚୀନ ପୂର୍ବରୁ କହିସାରିଛି । ଉତ୍ତର କୋରିଆ ହାଇଡ୍ରୋଜେନ ବୋମା ପରୀକ୍ଷଣ ପରେ ଦକ୍ଷିଣ କୋରିଆ ତାର ଚାରିପାଖ ସୀମାରେ ଆମେରିକା ସହଯୋଗରେ କ୍ଷେପଣାସ୍ତ୍ର ବିଧ୍ୱଂସି ସିଷ୍ଟମ ସହ ସେନାକୁ ସଜାଗ ରଖିଛି । ଉତ୍ତର କୋରିଆର ଏହି ଆକ୍ରମଣ ଧମକ ଆଜିକାଲିର ଶତ୍ରୁତା ନୁହେଁ ।
ଆମେରିକା ସହ ଉତ୍ତର କୋରିଆ ମଧ୍ୟରେ ଶତ୍ରୁତାର ଲମ୍ବା ଇତିହାସ ରହିଛି । କିନ୍ତୁ ଆମେରିକାକୁ ପ୍ରଥମ ଥର ପାଇଁ ଉତ୍ତର କୋରିଆର ଅଗଷ୍ଟ ୨୯ର ପରମାଣୁ ବୋମା ପରୀକ୍ଷଣ ଚିନ୍ତାରେ ପକାଇଦେଇଛି । ଇତିହାସକୁ ଫେରିଲେ ଜାହା ଜଣାପଡ଼େ ୧୯୧୦ ମସିହାରେ ସଂପୂର୍ଣ୍ଣ କୋରିଆ ଜାପାନ ଅଧିନରେ ଥିଲା । ୧୯୩୯ରୁ ୧୯୪୫ ମସିହା ମଧ୍ୟରେ ଦ୍ୱିତୀୟ ଯୁଦ୍ଧ ଚାଲିଥିବା ବେଳେ ଜର୍ମାନି ଓ ଜାପାନ ଗୋଟିଏ ପଟରେ ଥାଇ ଲଢ଼ୁଥିଲେ । ଯୁଦ୍ଧରେ ଜାପାନ ପରାସ୍ତ ହେବାରୁ ଜାପାନ ଅଧିନରେ ଥିବା କୋରିଆକୁ ଆମେରିକା ଓ ଋଷିଆ ନିଜ ଅଧିନକୁ ଆଣିବା ସହ ଅକ୍ଷାଂଶର ଉତ୍ତର ଭାଗ ଓ ଦକ୍ଷିଣ ଭାଗ କୁ ଦୁଇ ଭାଗରେ ବିଭାଜନ କରି ଉତ୍ତର କୋରିଆ ଋଷ ଅଧିନରେ ଏବଂ ଦକ୍ଷିଣ କୋରିଆ ଆମେରିକା ଅଧିନରେ ନିଜ ନିଜ ମଧ୍ୟରେ ବଣ୍ଟନନ କରିଥିଲେ ।
ଅଗଷ୍ଟ ୨୯ର ହାଇଡ୍ରୋଜେନ ବୋମା କେତେ ଶକ୍ତିଶାଳୀ ଥିଲା ତାହା ଉପରେ ନଜର ପକାଇଲେ ଜଣାପଡ଼େ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଜାପାନର ହିରୋସିମା ଓ ନାଗାସାକି ସହର ଉପରେ ହୋଇଥିବା ପରମାଣୁ ଆକ୍ରମଣ ଠାରୁ ବେଶ ଅଧିକ ଶକ୍ତିଶାଳୀ ଏହି ହାଇଡ୍ରୋଜେନ୍ ବୋମା । ଏହାକୁ ମିଶାଇ ୬ ଥର ପରମାଣୁ ବୋମା ପରୀକ୍ଷଣ କରିସାରିଲାଣି ଉତର କୋରିଆ । ୧୯୪୫ମସିହା ୬ ଅଗଷ୍ଟ, ଓ ୯ ଅଗଷ୍ଟରେ ଜାପାନର ହିରୋସିମା ଓ ନାଗାସାକି ସହର ଉପରେ ପରମାଣୁ ଆକ୍ରମଣର ଭୟାବହତା ବିଶ୍ୱବାସୀ ଦେଖିଛନ୍ତି । ତେବେ ଅଗଷ୍ଟ ୬ର ହିରୋସିମା ସହର ଉପରେ ହୋଇଥିବା ପରମାଣୁ ବୋମା ଯେତିକି ଶକ୍ତିଶାଳୀ ଥିଲା ତାଠାରୁ ଅଗଷ୍ଟ ୨୯ରେ ଉତ୍ତର କୋରିଆ କରିଥିବା ପରମାଣୁ ବୋମା ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି ।
ଚରମ ସୀମାରେ ପଂହଚିଛି ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା । ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆକୁ ଚେତବାନୀ ଦେଇଛନ୍ତି । ଅନ୍ୟପଟେ ମଧ୍ୟ ଏହି ଚେତାବନୀକୁ ଚାଲେଂଜ କରିଛି ଉତ୍ତର କୋରିଆ । ଉତ୍ତର କୋରିଆର ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗଧମକ ଦେଇଛନ୍ତି କହିଛିନ୍ତି କି, ‘ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ’ ।
ତେବେ ଦୁଇ ଦେଶ ପରସ୍ପରକୁ ଯୁଦ୍ଧ ଧମକ ଦେଉଥିବାବେଳେ ଉତ୍ତର କୋରିଆ ସେନା ଏହାର କ୍ଷେପଣାସ୍ତ୍ରରେ ପରମାଣୁ ଯୁଦ୍ଧାସ୍ତ୍ର ସଂଲଗ୍ନ କରୁଥିବା ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି । ଉତ୍ତର କୋରିଆ ପାଖରେ ପ୍ରାୟ ୩୦ରୁ ୬୦ ପରମାଣୁ ଅସ୍ତ୍ର ଥିବା ଏହି ରିପୋର୍ଟ ଦାବି ହୋଇଛି । ନିଉ ଜର୍ସିରେ ଅବସର ସମୟ ବିତାଉଥିବା ଟ୍ରମ୍ପ ଉତ୍ତର କୋରିଆକୁ କଡା ଧମକ ଦେଇଛନ୍ତି ।
ଉତ୍ତର କୋରିଆ ନ ସୁଧୁରିଲେ ଯୁଦ୍ଧ ସୁନିଶ୍ଚିତ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଉତ୍ତର କୋରିଆ ନିଜ ଜିଦରେ ଅଟଳ ରହିଥିବାରୁ ଜାତିସଂଘ ଅନେକ କଟକଣା ଜାରି କରିଛି । ତା’ ସତ୍ୱେ ସୁଧୁରୁ ନାହିଁ ଉତ୍ତର କୋରିଆ । ତେବେ ଗୁଆମରେ ଥିବା ଆମେରିକା ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଉତ୍ତର କୋରିଆ ପ୍ରସ୍ତୁତି ଚଳାଇଛି ।
ଉତ୍ତର କୋରିଆ ପ୍ରଥମେ ଅକ୍ଟୋବର୍ ୨୦୦୬ ମସିହାରେ ପ୍ରଥମ ଥର ପାଇଁ ୧ କିଲୋଟନ୍ ଓଜନର ହାଇଡ୍ରୋଜେନ୍ ବୋମା ପରୀକ୍ଷଣ କରିଥିଲା । ୨୦୦୯ରେ ୫ କିଲୋଟନ୍, ୨୦୧୩ରେ ୧୦ କିଲୋଟନ୍, ୨୦୧୬ରେ ୧୦ କିଲୋଟନ୍, ୨୦୧୬ରେ ୨୦ କିଲୋଟନ୍, ଏବଂ ସେପ୍ଟେମ୍ବର ୨୦୧୭ରେ ସବୁଠାରୁ ଶକ୍ତିଶାଳୀ ୧୨୦ କିଲୋଟନ୍ ଓଜନର ହାଇଡ୍ରୋଜେନ୍ ବମ୍ ପରୀକ୍ଷଣ କରିଛି । ବୋମା ପରୀକ୍ଷଣ ଫଳରେ କୁତ୍ରିମ ଭୂମିକମ୍ପ ଦୋହଲାଇ ଦେଇଛି ଦକ୍ଷିଣ କୋରିଆ ସମେତ ପଡୋଶୀ ଦେଶଗୁଡିକୁ । ଏବେ ଆମେରିକା ଓ ଉତ୍ତର କୋରିଆ ମୁହାଁମୁହିଁ ଅବସ୍ତାରେ ଥିବାରୁ ଆଗାମୀ ଦିନରେ ବିଶ୍ୱବାସୀ ପୁଣି ଏକ ଯୁଦ୍ଧର ବିଭୀଷିକା ଦେଖିବା ନେଇ ଆଶଙ୍କା ପ୍ରକାଶ ପାଇଛି ।