ଉତ୍ତରକୋରିଆର ଏହି ଅସ୍ତ୍ର ଦେଖି ଭୟରେ କମ୍ପୁଛି ଆମେରିକା

209

କନକ ବ୍ୟୁରୋ : କିଛିଦିନ ହେବ ଦୁଇଟି ଜିନିଷ ପାଇଁ ଉତ୍ତରକୋରିଆ ଏବେ ବିଶ୍ୱରେ ଚର୍ଚ୍ଚିତ ହେଉଛି । ଏହି ଦେଶ ଏବେ କରୋନା ଓ ଖାଦ୍ୟ ସଂକଟ ସହ ଲଢେଇ କରୁଛି ତ ଅନ୍ୟପଟେ କ୍ଷେପଣାସ୍ତ୍ର ପରୀକ୍ଷା କରି ଆମେରିକାର ଟାର୍ଗେଟକୁ ଆସୁଛି । ଉତ୍ତରକୋରିଆ କିଛିଦିନ ମଧ୍ୟରେ ୩ ଥର କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହ ଏବେ ଏକ ରହସ୍ୟମୟ ଅସ୍ତ୍ରକୁ ସମୁଦ୍ରରେ ପରୀକ୍ଷା କରି ବେସ୍ ଚର୍ଚ୍ଚାକୁ ଆସିଛି ।

ଦକ୍ଷିଣ କୋରିଆର ସଂଯୁକ୍ତ ସେନା ମୁଖ୍ୟ କହିଛନ୍ତି କି, ଉତ୍ତରକୋରିଆ ପୁଣିଥରେ ରହସ୍ୟମୟ ଅସ୍ତ୍ରକୁ ପୂର୍ବ ସମୁଦ୍ରରେ ଲଂଚ କରିଛି । ହେଲେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଉତ୍ତରକୋରିଆ କେଉଁ ପ୍ରକାର ଅସ୍ତ୍ର ପରୀକ୍ଷଣ କରିଛି । ଅନୁମାନ କରାଯାଉଛି କି, ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଓନ ଏହି ପରୀକ୍ଷଣ ସହାୟତାରେ ଆଉ ଏକ କ୍ଷେପଣାସ୍ତ୍ର ଟେଷ୍ଟ କରିଛି ।
କହିରଖୁ କି, ଉତ୍ତରକୋରିଆ ଏହା ପୂର୍ବରୁ କ୍ରୁଜ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା । ସିଓଲର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଏକ ବିବୃତ୍ତିରେ କହିଛନ୍ତି କି ପରମାଣୁ ସଶସ୍ତ୍ର ଉତ୍ତରକୋରିଆ ପୂର୍ବତଟ ସମୁଦ୍ରରେ ଦୁଇଟି ଅଜଣା ଜିନିଷ ଟେଷ୍ଟ କରିଛି । ଏନେଇ ଦକ୍ଷିଣ କୋରିଆ ଓ ଆମେରିକା ଯାଂଚ କରୁଥିବା କଥା ସେ କହିଛନ୍ତି ।

ହେଲେ ସେ ତାଙ୍କ ବିବୃତ୍ତିରେ ସୂଚନା ଦେଇ ନାହାନ୍ତି ଯେ ଉତ୍ତରକୋରିଆ ପରୀକ୍ଷଣ କରିଥିବା କ୍ଷେପଣାସ୍ତ୍ରର ଲକ୍ଷଭେଦି କ୍ଷମତା କେତେ ଦୂର । କହିରଖୁ କି, ଏହି ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଚୀନର ବିଦେଶମନ୍ତ୍ରୀ ଦକ୍ଷିଣ କୋରିଆର ବିଦେଶମନ୍ତ୍ରୀଙ୍କୁ ଭେଟିବାକୁ ସିଓଲ ଠାରେ ପହଂଚିଥିଲେ ।

ଉତ୍ତର କୋରିଆ ଏହି ଅଜଣା ପରମାଣୁ ପରୀକ୍ଷା କରିବା ପୂର୍ବରୁ ଚୀନର ବୈଦେଶିକ ମନ୍ତ୍ରୀ ବାଙ୍ଗ ଏକ ବିବୃତ୍ତି ଦେଇଥିଲେ । ସେଥିରେ ସେ କହିଥିଲେ ଯେ ଉତ୍ତରକୋରିଆ ଅଞ୍ଚଳରେ ଥିବା ସମସ୍ତ ଉପଦ୍ୱୀପରେ ଶାନ୍ତି ପ୍ରତିଷ୍ଠା କରିବାକୁ ସମସ୍ତ ଦେଶ ସହାୟକ ହେବେ । ସେ ଆହୁରି କହିଥିଲେ କି କେବଳ ଉତ୍ତରକୋରିଆ ନୁହେଁ, ଏମିତି ଆହୁରି କିଛି ଦେଶ ଅଛନ୍ତି ଯେଉଁମାନେ କି ମାନବ ସଭ୍ୟତାର ବିକାଶ ସେନା କ୍ଷମତାର ବିକାଶ ମାଧ୍ୟମରେ ହୋଇଥାଏ ବୋଲି ବିଶ୍ୱାସ ରଖି ସେହି ଦିଗରେ ଆଗକୁ ବଢୁଛନ୍ତି । ସେହି ଦେଶମାନଙ୍କ ସହ ଆଲୋଚନା କରିବାକୁ ସେ ଅନ୍ୟ ଦେଶମାନଙ୍କୁ ଆହ୍ୱାନ ଦେଇଥିଲେ ।

ସୂଚନା ଥାଉକି ଆମେରିକାର ରକ୍ଷା ବିଭାଗ ପେଣ୍ଟାଗନ ଏହା ପୂର୍ବରୁ ଉତ୍ତର କୋରିଆର ମିସାଇଲ ପ୍ରୋଗ୍ରାମକୁ ନେଇ ଚିନ୍ତା ପ୍ରକଟ କରିଥିଲା । ପେଣ୍ଟାଗନ ତରଫରୁ କୁହାଯାଇଥିଲା କି ଉତ୍ତରକୋରିଆ ଏଭଳି କ୍ଷେପଣାସ୍ତ୍ର ପରୀକ୍ଷା କରି ନିଜ ସେନାର କ୍ଷମତା ବୃଦ୍ଧି କରିବାକୁ ଚାହୁଁଛି । ଯାହାକି ପଡୋଶୀ ଦେଶ ମାନଙ୍କ ପାଇଁ ବିପଦ ବୋଲି ପେଣ୍ଟାଗନ କହିଛି ।