ବଞ୍ଚିବାର ଇଛା ଅଛି ଯଦି କମ୍ ଖାଅ । ଦେଶବାସୀଙ୍କୁ କିମ୍ ଜଙ୍ଗଙ୍କ ଚରମ ବାଣୀ

258

କନକ ବ୍ୟୁରୋ : ଉତ୍ତର କୋରିଆରେ ଶାସନ ବ୍ୟବସ୍ଥା କିପରି ତାହା ସମସ୍ତଙ୍କୁ ଅଳ୍ପ ବହୁତ ଜଣାଥିବ । ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନଙ୍କ ବର୍ବରତ୍ତାର କାହାଣୀ ମଧ୍ୟ ଶୁଣିଥିବେ । ଉତ୍ତରକୋରିଆରେ ଲୋକେ ନାନା ପ୍ରକାର ଅସୁବିଧା ଭୋଗ କରୁଥିବା ବେଳେ ଏବେ ଆଉ ଏକ ସଂକଟ ସାମ୍ନାକୁ ଆସିଛି । ଉତ୍ତର କୋରିଆରେ ଖାଦ୍ୟ ସଂକଟ ଦେଖାଯାଇଛି । ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ସେଠାକାର ବାସିନ୍ଦା ଏବେ ଡହଳବିକଳ ହେଉଛନ୍ତି । ଖାଦ୍ୟ ସଂକଟ ଦେଶରେ ହାହାକାର ମଚାଇଥିବା ବେଳେ ଲୋକଙ୍କ କଟା ଘା’ରେ ଲୁଣ ଛିଞ୍ଚିଦେଇଛି ତାନାଶାହା କିମ୍ ଜଙ୍ଗ୍ ଉନଙ୍କ ଚରମ ବାଣୀ । କିମ୍ ଜଙ୍ଗ୍ ଉନ୍ ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ବଞ୍ଚିବାର ଇଛା ଅଛି ତାହେଲେ କମ୍ ଖାଅ ।
କିମ୍ ଜଙ୍ଗ ଦେଶବାସୀ ଚେତାଇଦେଇ କହିଛନ୍ତି କି, ୨୦୨୫ ଯାଏଁ ସମସ୍ତେ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପ୍ରତିଟି ଲୋକ ତାର ଖାଇବାରୁ କମ୍ କରନ୍ତୁ । ତାହେଲେ ଯାଇଁ ଦେଶ ଖାଦ୍ୟ ସଂକଟରୁ ମୁକୁଳିପାରିବ ।
ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେବ ଉତ୍ତରକୋରିଆକୁ ଖାଦ୍ୟ ସାମଗ୍ରୀ ସପ୍ଲାଏ କମିବାରେ ଲାଗିଛି । ଯେତିକି ଜନସଂଖ୍ୟା ରହିଛି ସେହି ଅନୁଯାଇ ଖାଦ୍ୟ ସାମଗ୍ରୀ ଦେଶକୁ ଆସିପାରୁନାହିଁ । ଯେଉଁଥିପାଇଁ ସାରା ଦେଶରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି । ସାଧାରଣ ଲୋକଙ୍କ ପାଖରେ ଖାଦ୍ୟ ସମଗ୍ରୀ କିଣିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ମୁଠାଏ ଖାଇବା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଗତ କିଛି ବର୍ଷ ଦେବ ଦେଶ ଖାଦ୍ୟ ସଂକଟ ଭୋଗ କରିଆସୁଥିଲା ସତ, କିନ୍ତୁ କରୋନା ପରେ ସ୍ଥିତି ଅଧିକରୁ ଅଧିକ ବିଗିଡିଯାଇଛି ।