କାଶ୍ମୀର, ଉତରାଖଣ୍ଡ ଓ ହିମାଚଳରେ ପ୍ରବଳ ହିମପାତ: ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ; ଆସନ୍ତା ୨ ଦିନ ଲାଗି ବରଫ ବର୍ଷାର ଚେତାବନୀ

58

କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡ ପରି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ ।

ସେପଟେ ଜମ୍ମୁକଶ୍ମୀରରେ ବି ଦେଖିବାକୁ ମିଳିଛି ଧଳା ବରଫର ଆସ୍ତରଣ । ଏହି ଦୃଶ୍ୟ ହେଉଛି ଗୁଲମର୍ଗର ଯେଉଁଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଏହାକୁ ନଜରରେ ରଖି ଆରମ୍ଭ ହୋଇଛି ସ୍ନୋ ସାଇକଲିଂ । ଯାହାର ମଜା ନେଉଛନ୍ତି ପର୍ଯ୍ୟଟକ । ବରଫର ମୋଟା ଆସ୍ତରଣରେ ଯେଉଁଠି ସ୍ନୋ ସ୍କୁଟର ବା ସ୍କିଂ କରାଯାଏ ସେଠାରେ ସାଇକଲିଂ କରି ଏହାର ଭରପୂର ମଜା ଉଠାଉଛନ୍ତି ପର୍ଯଟକ । ଗୁଲମର୍ଗରେ ଆଡଭେଂଚର ଟୁରିଜମକୁ ପ୍ରୋତ୍ସାହନ ଦେବା ପାଇଁ ଏହାର ଆୟୋଜନ କରାଯାଇଛି ।

ଉତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମଧ୍ୟ ଜାରି ରହିଛି ପ୍ରବଳ ତୁଷାରପାତ । ଏଠାରେ ଆଗାମୀ ୨ଦିନ ଯାଏଁ ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାସ୍ତା ଘାଟ, ଘର ଦ୍ୱାର ଯେଉଁଆଡେ ଆଖି ପକାଇଲେ ଖାଲି ବରଫ ଓ ବରଫ ଦେଖିବାକୁ ମିଳୁଛି । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ପାଗ ପରିବର୍ତନ ଯୋଗୁଁ ପ୍ରବଳ ବରଫପାତ ହୋଇଛି । ସିମଲାରେ ବରଫ ବର୍ଷା ଯୋଗୁଁ ସ୍ଥାନୀୟ ଲୋକଙ୍କ ସମସ୍ୟା ବଢିଥିବା ବେଳେ ପର୍ଯ୍ୟଟକ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।