କନକ ବ୍ୟୁରୋ : କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନକୁ ନେଇ ସାରା ବିଶ୍ୱରେ ଏକ ପ୍ରକାର ଭୟ ବଢ଼ି ଯାଇଥିଲାବେଳେ ନୂଆ ଆଶା ସୃଷ୍ଟି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବ ପରାମର୍ଶଦାତାଙ୍କ ବୟାନ । ଡାକ୍ତର ସୁବାସ ସାଲୁଙ୍କେ କହିଛନ୍ତି, ଓମିକ୍ରନକୁ ନେଇ ଅତ୍ୟଧିକ ଭୟ କରିବାର ଆବଶ୍ୟକତା ନାହିଁ । ଓମିକ୍ରନର ପ୍ରଭାବ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ରହିବ । ଏବଂ ଆଗାମି ୬ ମାସ ଭିତରେ ସ୍ୱାଭାବିକ ହେବ ସ୍ଥିତି ।
ଆଗାମୀ ୬ ମାସ ଭିତରେ ସ୍ୱାଭାବିକ ହେବ ସ୍ଥିତି ! ଡବ୍ଲୁଏଚଓର ପୂର୍ବ ପରାମର୍ଶଦାତାଙ୍କ ମନ୍ତବ୍ୟ ବଢ଼ାଇଲା ଆଶା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ କେମିତି ଏହାର ମୁକାବିଲା କରାଯିବ, ଏନେଇ ସାରା ବିଶ୍ୱରେ ବୈଜ୍ଞାନିକ ଓ ଚିକିତ୍ସକମାନେ ଆଲୋଚନା ଓ ତର୍ଜମାରେ ଲାଗିଛନ୍ତି । ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ପୂର୍ବ ପରାମର୍ଶଦାତା, ଯେଉଁ ମନ୍ତବ୍ୟ ରଖିଛନ୍ତି, ତାହା ବେଶ୍ ଆଶ୍ୱସ୍ତକର ଓ ଆଶା ଉଦ୍ରେକକାରୀ ।
ଡବ୍ଲୁଏଚଓର ପୂର୍ବ ପରାମର୍ଶଦାତା ଡାକ୍ତର ସୁବାସ ସାଲୁଙ୍କେ କହିଛନ୍ତି ଯେ, ଆସନ୍ତାବର୍ଷ ଜୁନ୍ ସୁଦ୍ଧା ସ୍ଥିତି ସ୍ୱାଭାବିକ ହୋଇଯିବ । ଓମିକ୍ରନ ଉପରେ ଅନୁଧ୍ୟାନ ପରେ ସେ ଯେଉଁ ତଥ୍ୟ ପାଇଛନ୍ତି, ତାହା ଅନୁସାରେ,
ଓମିକ୍ରନକୁ ନେଇ ଅତ୍ୟଧିକ ଭୟ କରିବାର ଆବଶ୍ୟକତା ନାହିଁ
ଓମିକ୍ରନର ପ୍ରଭାବ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର
ଯଦିଓ ଓମିକ୍ରନ ସଂକ୍ରମଣ ବଢ଼ାଉଛି, ହେଲେ ରୋଗୀଙ୍କୁ ଗୁରୁତର କରୁନାହିଁ
ଡେଲଟା ଭାରିଆଣ୍ଟ ଠାରୁ ଓମିକ୍ରନ କମ୍ କ୍ଷତିକାରକ
ଓମିକ୍ରନରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଲେ ଏହା ପରୋକ୍ଷରେ ଟିକା ପରି କାମ କରିପାରେ
ଓମିକ୍ରନରେ ଅଧିକ ଲୋକ ସଂକ୍ରମିତ ହେଲେ, ଡେଲଟାର ପ୍ରଭାବ କମିଯିବ
ଏହା ସହ କରୋନାର ପ୍ରଭାବ ମଧ୍ୟ କମିଯିବ
ଫଳରେ କରୋନା ଆଉ ମହାମାରୀ ହୋଇ ରହିବ ନାହିଁ
ବରଂ ଏହାର ପ୍ରଭାବ କମି କମି ଆସିବ ଓ ସ୍ଥିତିରେ ସୁଧାର ଆସିବ
ଯଦି ଏହି ପୂର୍ବାନୁମାନ ସତ ହୁଏ, ତାହେଲେ ଆସନ୍ତାବର୍ଷ ଜୁନ୍ ମାସ ବେଳକୁ ସ୍ଥିତି ସ୍ୱାଭାବିକ ହୋଇଯିବ
ବିଭିନ୍ନ ଦେଶରୁ ମିଳିଥିବା ତଥ୍ୟରୁ ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଡେଲଟା ପ୍ରଜାତି ଠାରୁ ଓମିକ୍ରନ କମ୍ କ୍ଷତିକାରକ । ତେଣୁ ଡେଲଟା ଭୂତାଣୁ ଜାଗାରେ ଯଦି ଓମିକ୍ରନ ଅଧିକ ସଂକ୍ରମଣ କରେ, ତାହେଲେ ପ୍ରଭାବ କମିବ ବୋଲି ଅନ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ନଭେମ୍ବରରେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହେବା ପରେ ଏହା ୪୦ରୁ ଅଧିକ ଦେଶକୁ ବ୍ୟାପିଗଲାଣି । ଭାରତରେ ଏଯାଏଁ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।